ଅମିତାଭଙ୍କ ନାୟିକା ହେବାକୁ ମନା କରିଥିଲେ ଏହି ଅଭିନେତ୍ରୀ, ସମ୍ମତି ପାଇଁ ଅଭିନେତା ପଠାଇଥିଲେ ଗୋଲାପ ଭର୍ତ୍ତି ଟ୍ରକ୍‌

ବମ୍ବେ: ବଲିଉଡ୍‌ର ମହାନାୟକ କହିଲେ ଅମିତାଭ ବଚ୍ଚନଙ୍କୁ ବୁଝାଯାଏ। ୧୯୬୯ରେ ଫିଲ୍ମ ‘ସାତ ହିନ୍ଦୁସ୍ତାନୀ’ରୁ ଡେବ୍ୟୁ କରିଥିଲେ ସେ। ଏବେ ପଚାଶ ବର୍ଷ ପରେ ମଧ୍ୟ ବିଗ୍‌ ବିଙ୍କ ଖ୍ୟାତି ପୂର୍ବବତ ରହିଛି। ନିଜ ଫିଲ କ୍ୟାରିୟରରେ ଅନେକ ଅଭିନେତ୍ରୀଙ୍କ ସହ ସେ କାମ କରିଛନ୍ତି। ହେଲେ ଏପରି ଜଣେ ଅଭିନେତ୍ରୀ ଥିଲେ ଯିଏ ଅମିତାଭଙ୍କ ସହ କାମ କରିବାକୁ ଆଦୈା ଚାହୁଁ ନ ଥିଲେ। ସେ ହେଲେ ଦିବଂଗତ ଶ୍ରୀଦେବୀ।

‘ଚାନ୍ଦନୀ’ ଚଳଚ୍ଚିତ୍ର ପରେ ଶ୍ରୀଦେବୀଙ୍କୁ ‘ଫିମେଲ୍‌ ଅମିତାଭ ବଚ୍ଚନ’ କୁହାଯାଉଥିଲା। ସେତେବେଳେ ସେ ଆଗଧାଡ଼ିର ଅଭିନେତ୍ରୀ ପାଲଟିଥିଲେ। ଏଣୁ ବଲିଉଡ୍‌ର ଆଗଧାଡ଼ିର ଅଭିନେତାମାନେ ତାଙ୍କ ସହ କାମ କରିବାକୁ ଚାହୁଁଥିଲେ। ସେଥିରୁ ଜଣେ ଥିଲେ ଅମିତାଭ। ୧୯୯୨ରେ ଫିଲ୍ମ ‘ଖୁଦା ଗବାହ୍‌’ ପାଇଁ ଅମିତାଭଙ୍କୁ ସାଇନ୍‌ କରାଯାଇଥିଲା। ସ୍କ୍ରିପ୍ଟ ପଢ଼ିବା ପରେ ବିଗ୍‌ ବି ଶ୍ରୀଦେବୀଙ୍କୁ ଫିଲ୍ମରେ ନିଆଯାଉ ବୋଲି କହିଥିଲେ। ହେଲେ ଅଭିନେତ୍ରୀ ରୋକଠୋକ ମନା କରିଦେଇଥିଲେ। ଅମିତାଭ ଲୋକପ୍ରିୟ ଥିବାରୁ ଫିଲ୍ମରେ ନିଜର ଭୂମିକା ନଗଣ୍ୟ ହୋଇଯିବ ବୋଲି ଭାବି ଶ୍ରୀଦେବୀ ଏଭଳି କରିଥିଲେ। ହେଲେ ଅମିତାଭ ତାଙ୍କ ସହ କାମ କରିବାକୁ ଅଡ଼ି ବସିଥିଲେ। ଶେଷରେ ଯାହା ହେଲା ଆପଣ ଆଶ୍ଚର୍ଯ୍ୟ ହେବେ।

ଶ୍ରୀଦେବୀଙ୍କୁ ରାଜି କରିବା ଲାଗି ଅମିତାଭ ତାଙ୍କ ଶୁଟିଂ ସେଟ୍‌କୁ ଗୋଲାପ ଭର୍ତ୍ତୀ ଟ୍ରକ୍‌ ପଠାଇଥିଲେ। ପରେ ଅଭିନେତ୍ରୀଙ୍କୁ ଟ୍ରକ୍‌ ପାଖକୁ ଡକା ଯାଇଥିଲା। ଏପରିକି ତାଙ୍କ ଉପରେ ଗୋଲାପ ବୃଷ୍ଟି କରାଯାଇଥିଲା। ଏଭଳି ଆପଣାର ମନୋଭାବ ଦେଖି ଶ୍ରୀଦେବୀ ତରଳି ଯାଇଥିଲେ। ସେ ଫିଲ୍ମରେ କାମ କରିବାକୁ ହଁ ଭରିଥିଲେ। ହେଲେ ଗୋଟିଏ ସର୍ତ୍ତ ରଖିଥିଲେ ଯେ, ତାଙ୍କୁ ଫିଲ୍ମରେ ଦୁଇଟି ଭୂମିକା ମିଳିବ। ସେ ଅଭିନେତାଙ୍କ ସ୍ତ୍ରୀ ଓ ଝିଅ ଉଭୟ ଭୂମିକାରେ ନଜର ଆସିବେ। ସେତେବେଳ ସମୟରେ ଅଭିନେତ୍ରୀ ଭାବେ ଏଭଳି ସର୍ତ୍ତ ରଖିବାରେ ପ୍ରଥମ ଥିଲେ ଶ୍ରୀଦେବୀ। ଏହାପରେ ସେ ଅମିତାଭଙ୍କ ସହ ଅନେକ ଫିଲ୍ମ କରିଥିଲେ। ଇନ୍କଲାବ ଏବଂ ଆଖରୀ ରାସ୍ତା ସେଥିମଧ୍ୟରୁ ଅନ୍ୟତମ।

Share