ବାହାର ରାଜ୍ୟରୁ ଆସିଲେ ହୋମ୍‌ ଆଇସୋଲେଶନ ବାଧ୍ୟତାମୂଳକ

ମାଲକାନଗିରି,୨୪।୩(ଡି.ଏନ୍‌.ଏ.): ବାହାର ରାଜ୍ୟରୁ ମାଲକାନଗିରି ଜିଲାକୁ ଆସିବା ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ହୋମ୍‌ ଆଇସୋଲେଶନରେ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ନିୟମ ଲାଗୁ କରାଯାଇଛି ା ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କୁ ୭ ଦିନ ଗୃହ ସଙ୍ଗରୋଧରେ ରହିବାକୁ ଜିଲାପାଳ ଡଃ.ଓ୍ବାଇ. ବିଜୟ ଏନେଇ ଏକ ଗାଇଡ୍‌ଲାଇନ ପ୍ରସ୍ତୁତି କରିଛନ୍ତି। ଜିଲାରେ ବଡ଼ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏହି ବଡ଼ଯାତ୍ରା ସମୟରେ ଜିଲାକୁ ବାହାର ରାଜ୍ୟରୁ ଅନେକ ଭକ୍ତ ଆସିବାର ସମ୍ଭାବନା ରହିଛି। ତେବେ ଅନ୍ୟ ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଯେକୌଣସି ବ୍ୟକ୍ତି ଯଦି ବାହାର ରାଜ୍ୟରୁ ମାଲକାନଗିରି ଆସୁଛନ୍ତି। ତେବେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ହୋମ୍‌ ଆଇସୋଲେଶନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ଯେ, ବଡ଼ ଯାତ୍ରା ପାଳନ ସମୟରେ କୋଭିଡ୍‌ ସଂକ୍ରମଣକୁ ଆଶଙ୍କା କରି ଏଥି ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ଆଜି ରାତି ୯ଟାରୁ ଆସନ୍ତା ୩୧ ତାରିଖ ମଧ୍ୟ ରାତିି ପର୍ଯ୍ୟନ୍ତ ରାତ୍ର କାଳୀନ କର୍ଫ୍ୟୁ ଜାରି କରାଯାଇଛି ।