ପୁରୀକୁ ଆସିବାରୁ ଲୋକେ ମୋତେ ଚିହ୍ନିଲେ: ସମ୍ବିତ୍‌

ପୁରୀ ଅଫିସ, ୧୮ା୧୧:ପୁରୀକୁ ନେଇ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ବିଭିନ୍ନ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷ ତୀବ୍ର ବିରୋଧ କରିଛନ୍ତି। ଲେଖାଶ୍ରୀଙ୍କ ମନ୍ତବ୍ୟ ଥିଲା, ଭାରତର ଅନେକ ଲୋକ ପୁରୀକୁ କଲିକତାର ବୋଲି ଆଗରୁ ଭାବୁଥିଲେ। ପୁରୀ ଲୋକ ସଭା ଆସନରୁ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ୍‌ ପାତ୍ର ପ୍ରାର୍ଥୀ ହେବା ପରେ ଦେଶବାସୀ ପୁରୀ ଓଡ଼ିଶାର ବୋଲି ଜାଣିପାରିଲେ। ତେବେ ଏହାକୁ ନେଇ ପ୍ରତିବାଦର ସ୍ବର ତୀବ୍ର ହେବା ପରେ ବୁଧବାର ସମ୍ବିତ୍‌ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ପୁରୀ ହେଉଛି ସମଗ୍ର ବିଶ୍ୱର କେନ୍ଦ୍ର। ସ୍ବୟଂ ନାରାୟଣ ପୁରୀରେ ନିବାସ କରିଆସୁଛନ୍ତି। ତାଙ୍କ ଆଶୀର୍ବାଦ ମାଧ୍ୟମରେ ଆମ ସମସ୍ତଙ୍କୁ ଆଚ୍ଛାଦିତ କରୁଛନ୍ତି। ବିଶ୍ୱବାସୀ ମୁଖ୍ୟତଃ ପୁରୀ ଧାମ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଓଡ଼ିଶାକୁ ଜାଣୁଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରୁ ୨୦୧୯ ନିର୍ବାଚନରେ ପୁରୀରୁ ପ୍ରାର୍ଥୀ ହେବା ମୋ ପାଇଁ ବଡ଼ ଉପଲବ୍ଧି। ମୁଁ ଜଣେ ସାଧାରଣ ଘରର ପିଲା, ମୋତେ କେହି ଚିହ୍ନି ନ ଥିଲେ। କିନ୍ତୁ ପୁରୀ ଭଳି ମହାଧାମକୁ ଆସିବାରୁ ଲୋକେ ମୋତେ ଚିହ୍ନିଲେ ବୋଲି ସମ୍ବିତ୍‌ ପ୍ରକାଶ କରିଛନ୍ତି।
ସେହିପରି ସମ୍ବିତ କହିଛନ୍ତି, ଶ୍ରୀମନ୍ଦିର ଖୋଲାଯାଉ। କେବଳ ସେ ନୁହନ୍ତି, ସେବାୟତ, ଭକ୍ତ, ଜନସାଧାରଣ ସମସ୍ତେ ଏହା ଚାହୁଁଛନ୍ତି। ଭକ୍ତ-ଭଗବାନଙ୍କ ମଧ୍ୟରେ ଆଉ ବ୍ୟବଧାନ ନ ରହୁ। କରୋନା ମହାମାରୀ ସଂକ୍ରାନ୍ତ ଏସ୍‌ଓପି ପାଳନ କରି ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବାକୁ ରାଜ୍ୟ ସରକାରଙ୍କୁ ସମ୍ବିତ ନିବେଦନ କରିଛନ୍ତି।

Share