ଓଡ଼ିଶାରେ ହେଲିକପ୍ଟର ସେବା କେବେ: ଉତ୍ତର ଦେଲାନି କେନ୍ଦ୍ର

ନୂଆଦିଲ୍ଲୀ,୧୦ା୨: ଓଡ଼ିଶାର ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଆହତଙ୍କୁ ଏୟାରଲିଫ୍ଟିଂ ପାଇଁ ନିରବଚ୍ଛିନ୍ନ ହେଲିକପ୍ଟର ସେବାକୁ ନେଇ ବିଜେଡି ପକ୍ଷରୁ କରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେବାକୁ ଆବଶ୍ୟକ ମଣିନାହିଁ କେନ୍ଦ୍ର। ରାଜ୍ୟ ସଭାରେ ବିଜେଡି ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନକୁ ବୁଧବାର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଏଡ଼ାଇଦେଇଛନ୍ତି। ଶୂନ୍ୟକାଳରେ ଏମ୍‌ପି ପ୍ରଶାନ୍ତ କହିଥିଲେ, କୋରାପୁଟକୁ ତୁରନ୍ତ ହେଲିକପ୍ଟର ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ପକ୍ଷରୁ ଅନୁରୋଧ କରାଯାଇଛି। ହେଲିକପ୍ଟର ଦିଆଗଲେ ଏହା ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଭଳି ସର୍ବାଧିକ ମାଓବାଦୀ ପ୍ରଭାବିତ ଜିଲାରେ ଅପରେଶନ ବେଳେ ବିଶେଷ ସହାୟକ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗତ ସେପ୍ଟେମ୍ବରରେ ଆୟୋଜିତ ବୈଠକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଆଗରେ ଏହି ପ୍ରସଙ୍ଗ ଉଠାଇସାରିଛନ୍ତି। କେନ୍ଦ୍ର ଏହା ଉପରେ କି ପଦକ୍ଷେପ ନେଇଛି ବୋଲି ପ୍ରଶାନ୍ତ ପ୍ରଶ୍ନ କରିଥିଲେ। କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ କହିଥିଲେ, ସରକାର ଏଭଳି ଆବଶ୍ୟକତା ଥିବା ରାଜ୍ୟଗୁଡ଼ିକୁ ହେଲିକପ୍ଟର ଯୋଗାଇଦେଉଛନ୍ତି। ତେବେ ଓଡ଼ିଶାକୁ କେବେ ଦେବେ ସେନେଇ କେନ୍ଦ୍ରମନ୍ତ୍ରୀ କିଛି କହିଲେ ନାହିଁ।

Share