Categories: ଖେଳ

ଭାରତୀୟ ଦଳକୁ ଚେତାବନୀ ଦେଲେ ଗାଭାସ୍କର

ନୂଆଦିଲ୍ଲୀ,୨୩।୩: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ହାରିବା ପରେ ଟିମ ଇଣ୍ଡିଆକୁ ଚେତାବନୀ ଦେଇଛନ୍ତି ପୂର୍ବତନ ଭାରତୀୟ ଭେଟେରାନ ସୁନୀଲ ଗାଭାସ୍କର। ସେ ଭାରତୀୟ ଖେଳାଳିଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ଏହା ହେଉଛି ବିଶ୍ୱକପ ବର୍ଷ ଏବଂ ଭାରତୀୟ ଦଳକୁ ପୁଣି ଅଷ୍ଟ୍ରେଲିଆକୁ ସାମ୍ନା କରିବାକୁ ପଡିପାରେ। ଅଷ୍ଟ୍ରେଲିଆ ଦମ୍‌ଦାର ଫିଲ୍ଡିଂ ଆଧାରରେ ଭାରତୀୟ ଖେଳାଳିଙ୍କୁ କାବୁ କରିଥିଲା। ଭାରତୀୟ ଖେଳାଳିଙ୍କୁ ସହଜରେ ସିଙ୍ଗଲ୍‌ ମିଳୁ ନ ଥିଲା। ତେଣୁ ବିଶ୍ୱକପ୍‌ ପୂର୍ବରୁ ଏସବୁ ଧ୍ୟାନ ରଖିବାକୁ ପଡିବ। ନଚେତ୍‌ ବିଶ୍ୱକପ୍‌ରେ ମଧ୍ୟ ଭାରତକୁ ଏସବୁ ମହଙ୍ଗା ପଡିପାରେ। ବର୍ତ୍ତମାନ ଟି-୨୦ ଲିଗ ଆଇପିଏଲ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ଦଳ ଏହି ଅଭାବକୁ ଭୁଲିଯିବା ଉଚିତ୍‌ ନୁହେଁ। ଯେତେବେଳେ ୨୭୦ କିମ୍ବା ୩୦୦ ଟାର୍ଗେଟ୍‌କୁ ପିଛା କରାଯାଏ ସେତେବେଳେ ୯୦ କିମ୍ବା ୧୦୦ର ସହଭାଗୀତା ଦରକାର। ଏହା ଦ୍ୱାରା ହିଁ ଗୋଟିଏ ଟିମ୍‌ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ।
ସୂଚନାଯୋଗ୍ୟ, ଚେନ୍ନାଇରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୨୧ ରନ୍‌ରେ ପରାସ୍ତ କରିଛି। ଫଳରେ ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ସିରିଜ୍‌କୁ ୨-୧ରେ ଜିତିନେଇଛି।

Share