ବର୍ଷା ହେଲେ ବଢୁଛି ଭୟ

ଢେଙ୍କାନାଳ ଅଫିସ, ୨୫।୫ ଢେଙ୍କାନାଳ ସହରରେ ଜଳ ନିଷ୍କାସନ ବ୍ୟବସ୍ଥା ସ୍ଥାଣୁ ପାଲଟିଛି। ସାମାନ୍ୟ ବର୍ଷା ହେଲେ ସହର ତଳି ଅଞ୍ଚଳରେ ଥିବା ଘରେ ପାଣି ପଶୁଛି। ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ପୌର ପ୍ରଶାସନ ଏହାର ସମାଧାନ କରାଯାଉନାହିଁ। ଆଗକୁ ମୌସୁମୀ ଆସୁଥିବାରୁ ପରିସ୍ଥିତି ଜଟିଳ ହେବା ଆଶଙ୍କା ରହିଛି। ଏହାକୁ ନେଇ କ୍ଷୋଭ ବ୍ୟକ୍ତ କରିଛି ଜିଲା ସକ୍ରିୟ ନାଗରିକ ପରିଷଦ।
୧୯୫୦ରେ ଗଠିତ ଢେଙ୍କାନାଳ ପୌରସଂସ୍ଥାରେ ଜନସଂଖ୍ୟା ୧ଲକ୍ଷ ଟପିଲାଣି। ସହରରେ ଜନବସତି ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସୁଚିନ୍ତିତ ଜଳ ନିଷ୍କାସନ ବ୍ୟବସ୍ଥା ହୋଇନାହିଁ। ସମନ୍ବିତ ଜଳ ନିଷ୍କାସନ ଯୋଜନା ଅଭାବରୁ ସାମାନ୍ୟ ବର୍ଷରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି। ସହର ଉନ୍ନତୀକରଣ ପାଇଁ ବାରମ୍ବାର ବୈଠକ ବସୁଥିଲେ ଏଭଳି ମୌଳିକ ସମସ୍ୟାର ସମାଧାନର ବାଟ ବାହାରିପାରୁନାହିଁ। କେବଳ ଠିକାଦାରଙ୍କୁ ପୋଷିବା ପାଇଁ ଡ୍ରେନ୍‌ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି। କାଳ ବୈଶାଖୀ ପ୍ରଭାବରେ ମଙ୍ଗଳବାର ଭୋର୍‌ ସମୟରେ ହୋଇଥିବା ପ୍ରବଳ ବର୍ଷାରେ ବହୁ ଲୋକଙ୍କ ଘରେ ନର୍ଦ୍ଦମା ପାଣି ପଶିଯାଇଥିଲା। ସୂଚନାଯୋଗ୍ୟ, ୪-୫ଦିନ ତଳେ ପାରାଡାଇଜ ଗଳିରେ ଗୋଟିଏ ପଟରେ ନର୍ଦ୍ଦମା ପୁନରୁଦ୍ଧାର କରାଯାଇଛି। ନାଳରୁ ବାହାରିଥିବା ମାଟି ରାସ୍ତାକଡ଼ରେ ଜମା କରି ରଖାଯାଇଛି। ତେଣୁ ବର୍ଷା ପାଣି ନିଷ୍କାସନ ବାଧାପ୍ରାପ୍ତ ହୋଇ ଲୋକଙ୍କ ଘରେ ପଶିଯାଇଥିବା ଜଣାପଡ଼ିଛି। ବର୍ଷା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ନର୍ଦ୍ଦମା ସଫେଇ ସହ ଜଳ ନିଷ୍କାସନର ଉପଯୁକ୍ତ ବ୍ୟବସ୍ଥା କରିବାକୁ ଦାବି ହେଉଛି।
ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କୁହନ୍ତି, ନାଳ ନର୍ଦ୍ଦମା ସଫେଇ କାମ ଚାଲିଛି। ସମସ୍ୟା ରହିଥିବା ସ୍ଥାନ ପରିଦର୍ଶନ କରାଯିବା ପରେ ପଦକ୍ଷେପ ନିଆଯିବ।