ଭାରତୀୟ କ୍ରିକେଟ୍‌କୁ ଲଜ୍ଜିତ ହେବାରୁ ବଞ୍ଚାଇଥିଲେ ଲତା

ନୂଆଦିଲ୍ଲୀ,୬।୨: ୧୯୮୩ରେ ଲର୍ଡସରେ ଇତିହାସ ରଚିଥିଲା କପିଳ ଦେବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଏଥିରେ ଖୁସି ହେବା ବଦଳରେ ଚିନ୍ତିତ ଥିଲେ ବିସିସିଆଇ ସଭାପତି ତଥା ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଏନ୍‌କେପି ସାଲଭେ। ସେତେବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଆର୍ଥିକ ରୂପେ ସ୍ବଚ୍ଛଳ ନ ଥିଲା। ବିଶ୍ୱକପ୍‌ ଜିତିଥିବା ଖେଳାଳିଙ୍କୁ ସମ୍ବର୍ଦ୍ଧନା କରାଯିବାର ଆବଶ୍ୟକତା ଥିଲା। କିନ୍ତୁ ପ୍ରସାରଣ ଚୁକ୍ତି ବାବଦକୁ ୫ ବିଲିୟନ ଡଲାର (୩୭ ହଜାର କୋଟିରୁ ଊର୍ଦ୍ଧ୍ୱ) ରୋଜଗାର କରୁଥିବା ବିସିସିଆଇ ପାଖରେ ସେତେବେଳେ ଅର୍ଥ ନ ଥିଲା। ଏପରି କି ଖେଳାଳିଙ୍କୁ ଦୈନିକ ଭତ୍ତା ବାବଦକୁ ୨୦ ପାଉଣ୍ଡ (୨ ହଜାରରୁ ଊର୍ଦ୍ଧ୍ୱ ଟଙ୍କା) ଦେବାକୁ ସକ୍ଷମ ନ ଥିଲା ବୋର୍ଡ।

ସମସ୍ୟାର ସମାଧାନ ପାଇଁ ସାଲଭେ ପହଞ୍ଚିଥିଲେ ରାଜ ସିଂଙ୍କ ପାଖରେ। ଆଉ କୌଣସି ଉପାୟ ନ ପାଇଁ ରାଜ ସିଂ ତାଙ୍କ ଘନିଷ୍ଠ ବନ୍ଧୁ ତଥା କ୍ରିକେଟର ଅତ୍ୟତମ ପ୍ରଶଂସକ ଲତା ମଙ୍ଗେଶକରଙ୍କୁ ଯୋଗାଯୋଗ କରିଥିଲେ। ଜାତୀୟ ରାଜଧାନୀସ୍ଥିତ ଜଓ୍ବାହରଲାଲ ନେହରୁ ଷ୍ଟାଡିୟମରେ ଲତା ଜୀ ପାଖାପାଖି ୨ ଘଣ୍ଟାର ପ୍ରୋଗ୍ରାମ କରିଥିଲେ। ଏହି ଇଭେଣ୍ଟରୁ ଏତିକି ଆୟ ହୋଇଥିଲା, ଯେଉଁଥିରେ ବିସିସିଆଇ ୧୪ ଖେଳାଳିଙ୍କୁ ଏକ ଲକ୍ଷ ଲେଖାଏ ଟଙ୍କାର ପୁରସ୍କାର ରାଶି ଦେଇଥିଲା। ଏଥିଯୋଗୁ ଲଜ୍ଜିତ ହେବାରୁ ବର୍ତ୍ତି ଯାଇଥିଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ।