Categories: ଜାତୀୟ

ଅଭିନେତା ରାକେଶ ରୋଶନଙ୍କୁ ଦେଶର ପ୍ରଥମ ମହାକାଶଚାରୀ କହିଦେଲେ ମମତା ବାନାର୍ଜୀ

କୋଲକତା,୨୪।୮: ଭାରତର ତୃତୀୟ ମୁନ୍‌ ମିଶନ୍‌ ଚନ୍ଦ୍ରୟାନ-୩କୁ ମିଳିଛି ବିରଳ ସଫଳତା। ଚନ୍ଦ୍ରର ସାଉଥ୍‌ ପୋଲ୍‌ରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହେବା ସହ ୧୪୦ କୋଟି ଭାରତୀୟଙ୍କ ହୃଦୟରେ ଖୁସିର ଲହରି ଖେଳିଯାଇଛି। ଏହି ଖୁସିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଭୁଲ କରିଦେଇଛନ୍ତି। ଚନ୍ଦ୍ରୟାନ-୩ ଲ୍ୟାଣ୍ଡର୍‌ ଚନ୍ଦ୍ରରେ ପହଞ୍ଚିବାର କିଛି ସମୟ ପୂର୍ବରୁ କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଭୁଲରେ ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ବଦଳରେ ବଲିଉଡ ଅଭିନେତା-ଚଳଚ୍ଚିତ୍ର ନିର୍ମାତା ରାକେଶ ରୋଶନଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ଯାହା ପରେ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗ ଆଲୋଚନାର ବିଷୟ ପାଲଟିଥିଲା।
ମମତା ବାନାର୍ଜୀ କହିଛନ୍ତି, ପଶ୍ଚିମବଙ୍ଗର ଲୋକଙ୍କ ତରଫରୁ ମୁଁ ଇସ୍ରୋକୁ ମୋର ଆଗୁଆ ଶୁଭେଚ୍ଛା ପଠାଉଛି। ଏହାର ସମସ୍ତ ଶ୍ରେୟ ବୈଜ୍ଞାନିକଙ୍କ ନିକଟକୁ ଯିବା ଉଚିତ, ଦେଶକୁ ଯିବା ଉଚିତ। ରାକେଶ ରୋଶନ ଚନ୍ଦ୍ରରେ ଅବତରଣ କରିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସେଠାରୁ ଭାରତ କିପରି ଦେଖାଗଲା ବୋଲି ତାଙ୍କୁ ପଚାରିଥିଲେ। ଆମ ଦେଶ ବିଜ୍ଞାନ ଏବଂ ମହାକାଶ ଅନୁସନ୍ଧାନରେ ଏକ ପଦକ୍ଷେପ ନେଇଛି, ମୁଁ ଏଥିପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।
ଭାରତୀୟ ବାୟୁସେନା ପାଇଲଟ ରାକେଶ ଶର୍ମା ସୋଭିଏତ୍‌ ୟୁନିଅନର ସୋୟୁଜ ଟି -୧୧ ମିଶନର ଏକ ଅଂଶ ଭାବରେ ୧୯୮୪ରେ ମହାକାଶକୁ ଯାତ୍ରା କରିଥିବା ପ୍ରଥମ ଭାରତୀୟ ହୋଇଥିଲେ।

Share