Advertisement

୩୦ ହଜାର ଟଙ୍କାରେ ପୁରସ୍କାର କିଣିଥିଲେ ଏହି ପ୍ରସିଦ୍ଧ ଅଭିନେତା. ଜାଣନ୍ତୁ କାହିଁକି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡର ଅନେକ ଅନ୍ଧକାର ଦିଗ ବିଷୟରେ ବାହାରକୁ ଆସୁଛନ୍ତି। ବଂଶବାଦ, ଗୋଷ୍ଠୀବାଦ ବିଷୟରେ ବିତର୍କ ଦୀର୍ଘ ଦିନ ଧରି ଚାଲିଆସୁଛି। ଏହା ବ୍ୟତୀତ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏ.ଆର୍‌ ରେହମାନ ମଧ୍ୟ ବଲିଉଡ ଗ୍ୟାଙ୍ଗ ବିଷୟରେ ଖୁଲାସା କରିଥିବାବେଳେ ସାଉଣ୍ଡ ଡିଜାଇନର୍‌ ରେସୁଲ ପୁକୁଟି ମଧ୍ୟ ଓସ୍କାର ଜିତିବା ପରେ ତାଙ୍କୁ ସାଇଡଲାଇନ କରିଦିଆଯାଇଥିଲା ବୋଲି ଅଭିଯୋଗ କରିଛନ୍ତି।
ଏସବୁ ମଧ୍ୟରେ ବଲିଉଡ ପୁରସ୍କାର ଶୋ ମଧ୍ୟ ବିବାଦରେ ରହିଛି। କିଛି ଦିନ ପୂର୍ବରୁ ଗୀତିକାର ମନୋଜ ମୁନ୍ତଶୀର ତାଙ୍କ ଗୀତ ‘ତେରୀ ମିଟ୍ଟୀ’ ପାଇଁ ଫିଲ୍ମଫେୟାର ପୁରସ୍କାର ପାଇ ନ ଥିଲେ। ପରେ ଭବିଷ୍ୟତରେ କୌଣସି ପୁରସ୍କାର ଶୋ’ରେ ଭାଗ ନେବାକୁ ମନା କରିଦେଇଥିଲେ। କିନ୍ତୁ ପୁରସ୍କାର ଶୋ’କୁ ନେଇ ବିବାଦ ପ୍ରଥମ ଥର ନୁହେଁ। ବଲିଉଡର ସ୍ବର୍ଗତ ଅଭିନେତା ରୁଷି କପୁର ତାଙ୍କ ଆତ୍ମଜୀବନୀରେ କହିଥିଲେ ଯେ, ୫୦ ବର୍ଷ ପୂର୍ବେ ସେ ୩୦ ହଜାର ଟଙ୍କା ଦେଇ ପୁରସ୍କାର କିଣିଥିଲେ।
ରୁଷି ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍‌ ୧୯୭୦ରେ ପିତା ରାଜ କପୁରଙ୍କ ଫିଲ୍ମ ମେରା ନାମ ଜୋକରରେ ଶିଶୁ କଳାକାର ଭାବରେ ଆରମ୍ଭ କରିଥିଲେ। ତିନି ବର୍ଷ ପରେ ଅର୍ଥାତ୍‌ ୧୯୭୩ରେ ରୁଷି କପୁର ଜଣେ ମୁଖ୍ୟ ଅଭିନେତା ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରର ନାମ ବବି ଥିଲା। ଏହି ଚଳଚ୍ଚିତ୍ର ପାଇଁ ରୁଷି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। କିନ୍ତୁ ଏଥିପାଇଁ ତାଙ୍କୁ ୩୦ ହଜାର ଟଙ୍କା ଦେବାକୁ ପଡିଥିଲା। ୨୦୧୭ରେ ମୁକ୍ତିଲାଭ କରିଥିବା ରୁଷି କପୁର ତାଙ୍କ ଆତ୍ମଜୀବନୀ ଖୁଲାମ-ଖୁଲାରେ ଏହା ସେ ଉଲ୍ଲେଖ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ସେ ସେତେବେଳେ ବହୁତ ଯୁବକ ଥିଲେ ଏବଂ ତାଙ୍କ ଚଳଚ୍ଚିତ୍ରର ସଫଳତାରେ ସେ ବହୁତ ଖୁସି ଥିଲେ। ତେଣୁ ସେ ଏପରି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପରେ ନିଜ ଦୋଷ ଏବଂ ଏହାକୁ ନେଇ ମଧ୍ୟ ଅନୁତାପ କରୁଥିବା ସେ କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share