ଡକାୟତି ଯୋଜନାବେଳେ ମାଡ଼ି ବସିଲା ପୋଲିସ

ଅନୁଗୋଳ ଅଫିସ, ୧୭ା୯: ଅନୁଗୋଳ ସଦର ଥାନା କୁଇଓ ଜଙ୍ଗଲରେ ବସି ଡକାୟତି ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୋଲିସ। ଘଟଣାସ୍ଥଳରୁ ଜଣେ ନାବାଳକ ସହ କରଡ଼ାଗାଡ଼ିଆ ଅଞ୍ଚଳର ନୀଳକଣ୍ଠ ଗୋଚ୍ଛାୟତ (୨୧), ବନ୍ତଳା ଥାନା ପୁରୁଣାଗଡ଼ ଅଞ୍ଚଳର ନିଲାମ ନାଏକ (୧୯), କୁମଣ୍ଡ ଅଞ୍ଚଳର ତ୍ରିଲୋଚନ ନାଏକ (୨୩) ଓ କୁଇଓ ଜଙ୍ଗଲ ଗ୍ରାମର ଆଶିଷ ଗଡ଼ନାୟକ (୩୦)ଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନିକଟରୁ ଖଣ୍ଡା, ଭୁଜାଲି, ଲୁହାଛଡ଼, ୨ଟି ମୋବାଇଲ ଓ ୨ଟି ଚୋରା ମୋଟର ସାଇକେଲ ଜବତ କରାଯାଇଥିବା ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ସଦର ଥାନା ଅଞ୍ଚଳରେ ଗୁରୁବାର ରାତିରେ ପଥଚାରିଙ୍କଠାରୁ ଲୁଟ୍‌ପାଟ କରାଯାଇଥିଲା। କାହା ପାଖରୁ ମୋବାଇଲ ଫୋନ୍‌ ତ ଆଉ କାହା ନିକଟରୁ ଟଙ୍କା ଲୁଟି ନିଆଯାଇଥିଲା। ଏ ନେଇ ଲୁଟ୍‌ର ଶିକାର ହୋଇଥିବା ନିଶା ଥାନା ପରଙ୍ଗ ଗ୍ରାମର ସୁମନ୍ତ ପରିଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୭୨୩/୨୨ରେ ମାମଲା ରୁଜୁ କରିଥିଲା। ସେହିଭଳି ରାଣୀଗୁଡ଼ା ଅଞ୍ଚଳର ସୁମନ୍ତ ସାହୁଙ୍କ ଅଭିଯୋଗ ଆଧାରରେ ନଂ.୭୨୪/୨୨ରେ ଓ ଟ୍ରକ୍‌ ଚାଳକ ଶିବାନନ୍ଦ ଗଡ଼ନାୟକଙ୍କ ଅଭିଯୋଗ ଆଧାରରେ ନଂ. ୭୨୭/୨୨ରେ ମାମଲା ରୁଜୁ କରାଯାଇଥିଲା। ଲୁଟ୍‌ପାଟ କରିଥିବା ଗ୍ୟାଙ୍ଗର ସଦସ୍ୟମାନେ କୁଇଓ ଜଙ୍ଗଲରେ ଏକାଠି ହୋଇଥିବା ଖବରପାଇ ଏସ୍‌ଆଇ ତୁଷାରକାନ୍ତ ମହାନ୍ତି ଚଢ଼ାଉ କରି ୫ ଜଣଙ୍କୁ ଧରିଥିବାବେଳେ ୨ ଜଣ ଚମ୍ପଟ ମାରିଥିଲେ। ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାର ତଦନ୍ତ ଏସ୍‌ଆଇ ଆଶିଷ କୁମାର ସ୍ବାଇଁ କରୁଛନ୍ତି।