Categories: ଜାତୀୟ

ସରସ୍ବତୀ ଯେତେବେଳେ ଜ୍ଞାନ ବାଣ୍ଟୁଥିଲେ…କେଉଁ ନେତାଙ୍କୁ ଇସାରାରେ ଟାର୍ଗେଟ କଲେ ମୋଦି

ନୂଆଦିଲ୍ଲୀ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗ୍ଲୋବାଲ ଫିଣ୍ଟେକ ଫେଷ୍ଟରେ ଯୋଗ ଦେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ମୁମ୍ବାଇର ଜିଓ କନଭେନସନ ସେଣ୍ଟରରେ ମୋଦି ଏପରି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୋଦି କେଉଁ ନେତାଙ୍କୁ ଇସାରା କରି ଏହି ବୟାନ ଦେଇଛନ୍ତି ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

ମୋଦି କହିଛନ୍ତି, ଯେତେବେଳେ ମାଆ ସରସ୍ବତୀ ଜ୍ଞାନ ବାଣ୍ଟୁଥିଲେ, କିଛି ଲୋକ ରାସ୍ତାରେ ଠିଆ ହୋଇଥିଲେ। ବର୍ତ୍ତମାନ ଭାରତରେ ଉତ୍ସବର ଋତୁ ଆରମ୍ଭ ହୋଇଛି। ନିକଟରେ ଜନ୍ମାଷ୍ଟମୀ ପର୍ବ ଆଡମ୍ଭର ସହକାରେ ପାଳନ କରାଯାଇଛି। ଲୋକମାନେ ଏତେ ଖୁସି ଅଛନ୍ତି ଯେ ଅର୍ଥନୀତି ଏବଂ ବଜାର ଉପରେ ମଧ୍ୟ ଏହାର ପ୍ରଭାବ ପଡୁଥିବାର ଦେଖାଦେଇଛି।

ଲୋକଙ୍କୁ ସମ୍ବୋଧିତ କରି ପିଏମ ମୋଦି ଆହୁରି କହିଛନ୍ତି, ସ୍ବପ୍ନର ସହର ମୁମ୍ବାଇରେ ଗ୍ଲୋବାଲ ଫିଣ୍ଟେକ ଫେଷ୍ଟିଭାଲ ଅନୁଷ୍ଠିତ ହେଉଛି। ଏପରି ଏକ ସମୟ ଥିଲା ଯେତେବେଳେ ଲୋକମାନେ ଭାରତକୁ ଆସୁଥିଲେ ଏବଂ ଆମର ସାଂସ୍କୃତିକ ବିବିଧତା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବର୍ତ୍ତମାନ ଲୋକମାନେ ଭାରତକୁ ଆସଲେ, ସେମାନେ ଆମର ଫିଣ୍ଟେକ ବିବିଧତା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ବିମାନ ବନ୍ଦରରେ ଅବତରଣ ଠାରୁ ଆରମ୍ଭ କରି ସପିଂ ପର୍ଯ୍ୟନ୍ତ ଭାରତର ଫିଣ୍ଟେକ ବିପ୍ଳବ ସବୁଆଡେ ଦୃଶ୍ୟମାନ ହେଉଛି। ଗତ ୧୦ ବର୍ଷ ମଧ୍ୟରେ ଫିଣ୍ଟେକ କ୍ଷେତ୍ରରେ ୩୧ ବିଲିୟନ ଡ଼ଲାର୍‌ ବିନିଯୋଗ ହୋଇଛି।

ପ୍ରଧାନମନ୍ତ୍ରୀ ଭାରତରେ ଶସ୍ତା ମୋବାଇଲ ଫୋନ, ଡାଟା ଏବଂ ଜିରୋ ବାଲାନ୍ସ ଜନ ଧନ ବ୍ୟାଙ୍କ ଆକାଉଣ୍ଟ ବିଷୟରେ ଉଲ୍ଲେଖ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆପଣଙ୍କ ମନେ ଥିବ ଯେ ପୂର୍ବରୁ କିଛି ଲୋକ ସଂସଦରେ ଠିଆ ହୋଇ ପଚାରୁଥିଲେ। ଯେଉଁମାନେ ନିଜକୁ ବହୁତ ଶିକ୍ଷିତ ବୋଲି ଭାବୁଥିଲେ ସେମାନେ ପଚାରୁଥିଲେ। ଯେତେବେଳେ ସରସ୍ବତୀ ତାଙ୍କୁ ଜ୍ଞାନ ବାଣ୍ଟୁଥିଲେ, ସେତେବେଳେ ସେ ରାସ୍ତାରେ ଠିଆ ହୋଇଥିଲେ। ସେମାନେ କହୁଛନ୍ତି ଭାରତରେ ଏତେ ସଂଖ୍ୟକ ବ୍ୟାଙ୍କ ଶାଖା, ଇଣ୍ଟରନେଟ ଏବଂ ବ୍ୟାଙ୍କ ନାହିଁ। ଏପରିକି ସେମାନେ କହିଛନ୍ତି ଯେ ଭାରତରେ ବିଦ୍ୟୁତ ବି ନାହିଁ।

Share