ପହଞ୍ଚିିଲାନି ଆମ୍ବୁଲାନ୍ସ, ବାପା କାନ୍ଧରେ ଗଲା କୁନିଝିଅର ଜୀବନ

ନାକଟିଦେଉଳ,୧୨ା୧୦(ଡି.ଏନ.ଏ.): ନାଳ ପ୍ରତିବନ୍ଧକ ସାଜିବାରୁ ଗାଁରେ ପହଞ୍ଚତ୍ ପାରିଲାନାହିଁ ଆମ୍ବୁଲାନ୍ସ। ଶେଷରେ ଚିକିତ୍ସା ଅଭାବରୁ ବାପା କାନ୍ଧରେ କୁନି ଝିଅର ଜୀବନ ଚାଲିଗଲା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ କମଳାନାଳୀ ଗ୍ରାମରେ।
ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ସମ୍ବଲପୁର ଜିଲା କମଳାନାଳୀ ଗ୍ରାମ ସୁଦସାହିର ଅର୍ଜୁନ ଦେହୁରିଙ୍କ ୬ବର୍ଷର ଝିଅ ମିତା ଗାଁ ଦାଣ୍ଡରେ ସାଙ୍ଗମାନଙ୍କ ସହ ଖେଳୁଥିଲା। ପରେ ସେ ଘରକୁ ଫେରୁଥିବାବେଳେ ଏକ ଖୋଲା କୂଅରେ ଅସାବଧାନତା ବଶତଃ ପଡ଼ିଯାଇଥିଲା। ଘରକୁ ନ ଫେରିବାରୁ ମା’ବାପା ଖୋଜାଖୋଜି କରିଥିଲେ। ପ୍ରାୟ ଅଧଘଣ୍ଟା ପରେ କୂଅରୁ ମିତାକୁ ଉଦ୍ଧାର କରି ନାକଟିଦେଉଳ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ତେବେ ଗ୍ରାମକୁ ଭଲ ରାସ୍ତା ନ ଥିବାବେଳେ ବାଟରେ ୨ଟି ନାଳ ପଡୁଥିବାରୁ ଆମ୍ବୁଲାନ୍ସ ଯିବା ସମ୍ଭବ ନୁହେଁ ବୋଲି ଡ୍ରାଇଭର କହିଥିଲେ। ପରେ ସେ ନିକଟସ୍ଥ ଧାତୁକିମାଳ ଗ୍ରାମ ପର୍ଯ୍ୟନ୍ତ ଆସିବାକୁ କହିଥିଲେ। କୁନି ଝିଅର ଜୀବନ ବଞ୍ଚାଇବା ଆଶାରେ ବାପା ଅର୍ଜୁନ ରାତିରେ ୨କି.ମି. ଦୂର ଧାତୁକିମାଳକୁ ପାଦରେ ଚାଲି ଚାଲି ୨ଟି ନାଳ ପାରିହୋଇ ଯାଇଥିଲେ। ସେଠାରେ ଥିବା ଆମ୍ବୁଲାନ୍ସରେ ଝିଅକୁ ଧରି ରେଢାଖୋଲ ଡାକ୍ତରଖାନା ଯାଇଥିଲେ ମଧ୍ୟ ଡାକ୍ତର ମିତାକୁ ମୃତ ଘୋଷଣା କରିଥିଲେ। ରାସ୍ତା ଅବସ୍ଥା ଠିକ୍‌ ନ ଥିବାବେଳେ ଆମ୍ବୁଲାନ୍ସ ପହଞ୍ଚତ୍ ନ ପାରିବାରୁ ଏକ ମୂଲ୍ୟବାନ ଜୀବନ ଚାଲିଗଲା ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି।

Share