ଟ୍ରକ୍‌ରୁ ହେଲା ନୋଟ୍‌ ବର୍ଷା

କାଲିଫର୍ନିଆ,୨୧।୧୧:ଯଦି ରାସ୍ତାରେ ଦଶ ଟଙ୍କିଆ ନୋଟ ଖଣ୍ଡେ ମିଳିଯାଏ, ତେବେ ଖୁସିର ସୀମା ନ ଥାଏ। କିନ୍ତୁ ଆମେରିକାର କାଲିଫର୍ନିଆରେ ଡଲାର ବର୍ଷା ହୋଇଛି ଏବଂ ଲୋକମାନେ ରାସ୍ତା ମଝିରେ ନୋଟ୍‌ ଗୋଟାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ପୋଲିସ ଏବଂ ଏଫବିଆଇ ସେମାନଙ୍କ ପଛରେ ପଡିଯାଇଥିଲେ। ଲୋକଙ୍କୁ ନୋଟ ଫେରସ୍ତ କରିବାକୁ କୁହାଯାଇଛି, ନଚେତ୍‌ ସମସ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ପୋଲିସ ଅଧିକାରୀଙ୍କ କହିବାନୁସାରେ, ଶୁକ୍ରବାର ସକାଳ ପ୍ରାୟ ୯.୧୫ ବେଳେ ଏକ ନୋଟ ଭର୍ତ୍ତି ଟ୍ରକ କାର୍ଲସ୍ୟାଡର ଇଣ୍ଟରଷ୍ଟେଟ ହାଇୱେ-୫ ଦେଇ ଯାଉଥିଲା। ଏହି ଟ୍ରକରେ ଅନେକ ବ୍ୟାଗରେ ନୋଟ ଭର୍ତ୍ତି କରାଯାଇଥିଲା। ହଠାତ୍‌ ଟ୍ରକର ପଛ କବାଟ ଖୋଲିଯିବାରୁ ପ୍ରବଳ ପବନ ଯୋଗୁ ଟଙ୍କା ବ୍ୟାଗଗୁଡ଼ିକ ଖୋଲିଯାଇଥିଲା। ବ୍ୟାଗ ଖୋଲିବା ମାତ୍ରେ ଏଥିରେ ଭର୍ତ୍ତି ହୋଇଥିବା ନୋଟଗୁଡ଼ିକ ପବନରେ ଉଡ଼ିବା ଆରମ୍ଭ କଲା। ଏହି ଦୃଶ୍ୟ ଦେଖି ଆଖପାଖର ଲୋକମାନେ ଗାଡିଗୁଡ଼ିକୁ ଅଟକାଇ ନୋଟ ଲୁଟିବା ଆରମ୍ଭ କଲେ, ଯେଉଁଥିପାଇଁ ସମଗ୍ର ରାଜପଥ ଜାମ ହୋଇଯାଇଥିଲା।
ଟ୍ରକର ଡ୍ରାଇଭର ଦେଖିଲେ ଯେ ତାଙ୍କ ଟ୍ରକର ନୋଟ ଆକାଶରେ ଉଡୁଛି ଏବଂ ଲୋକମାନେ ତାଙ୍କୁ ଲୁଟୁଛନ୍ତି, ସେତେବେଳେ ସେ ଏହାକୁ ବିରୋଧ କରିଥିଲେ। କିନ୍ତୁ ଲୋକମାନେ ନୋଟ ଲୁଟ କରିବାରେ ଏତେ ପାଗଳ ଥିଲେ ଯେ ସେମାନେ ଟ୍ରକ ଡ୍ରାଇଭରଙ୍କ ସହ ମାରପିଟ୍‌ ମଧ୍ୟ କରିଥିଲେ। ଟ୍ରକ ଡ୍ରାଇଭର ବାଧ୍ୟ ହୋଇ ହାଇୱେ ପାଟ୍ରୋଲିଂ ପୋଲିସକୁ ଏହା ଜଣାଇଥିଲେ।
ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ଲୋକଙ୍କୁ ନୋଟ ଫେରସ୍ତ କରିବାକୁ ଚେତାବନୀ ଦେଇଥିଲା, କିନ୍ତୁ ନୋଟ ବର୍ଷା ହେତୁ ଲୋକମାନେ ଏତେ ଖୁସି ହୋଇଥିଲେ ଯେ ଚେତାବନୀକୁ ସେମାନେ ଭୟ କରି ନ ଥିଲେ। ଏହା ପରେ ପୋଲିସ ଉଭୟ ପାର୍ଶ୍ୱରୁ ରାସ୍ତାକୁ ସିଲ କରିଥିଲା। ପ୍ରାୟ ୧୨ ଜଣ ଲୋକ ନୋଟ ଫେରସ୍ତ କରିଥିଲେ। ଅନେକ ଲୋକ ନିଜ ନିଜ ଗାଡିରେ ଅନେକ ନୋଟ ରଖି ପଳାଇ ଯାଇଥିଲେ। ଆମେରିକାର ଅନୁସନ୍ଧାନକାରୀ ଏଜେନ୍ସି ଏଫବିଆଇ ଏହି ଘଟଣାର ତଦନ୍ତ କରୁଛି। ତେବେ ଟ୍ରକରେ କେତେ ନୋଟ ଥିଲା ଏବଂ କେତେଜଣ ନୋଟ ନେଇ ପଳାଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Share