ଗୋପ,୧୬।୬(ଭାରତୀ ଭୂଷଣ ଉପାଧ୍ୟାୟ): ପୁରୀ ଜିଲା ଗୋପ ଥାନାର ନୟାହାଟ ଫାଣ୍ତିରୁ ବୁଧବାର ଅପରାହ୍ନରେ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି। ଫାଣ୍ଡି ଅଧିକାରୀ ଓ କର୍ମଚାରୀମାନେ ଶୋଇଥିବାବେଳେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ବାହାର ପଟୁ କବାଟରେ ଶିକୁଳି ଦେଇ ଫେରାର ହୋଇଯାଇଥିଲେ। ଅଭିଯୁକ୍ତ ଜଣକ ହେଲେ ଉକ୍ତ ଫାଣ୍ଡି ଅନ୍ତର୍ଗତ ଧୁମାଳ ଗାଁର ଅଜୟ କୁମାର ଖଟୋଇ (୩୭)। ଏହି ଘଟଣା ପ୍ରଘଟ ହେବା ପରେ ପୁଅକୁ ଉଠାଇ ଆଣି ହତ୍ୟା କରାଯାଇଥିବା ନେଇ ଅଭିଯୁକ୍ତଙ୍କ ମା’ ଶୈଳବାଳା ଖଟୋଇ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଫାଣ୍ତିରୁ ଖସିଯାଇଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ତେବେ ଅଭିଯୁକ୍ତଙ୍କୁ ପୋଲିସ କେମିତି ରଖିଥିଲା, ଖସିଯିବାବେଳେ ପୋଲିସ କିଭଳି ଜାଣିପାରିଲାନି, ନା ପୋଲିସ ଜାଣିଶୁଣି ଖସେଇ ଦେଲା ତାହା ଏବେ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରକାଶ ଯେ, ଅଭିଯୁକ୍ତ ଅଜୟଙ୍କ ନାମରେ ଗୋପ, ନୟାହାଟ ଓ ନିମାପଡ଼ା ସହିତ ଆଉ କେତେକ ଥାନା ଅଞ୍ଚଳରେ ୩୦ରୁ ଊଦ୍ଧର୍ବ ମାମଲା ରହିଥିଲା। ତେଣୁ ସେ କିଛିଦିନ ହେବ ଫେରାର ମଧ୍ୟ ଥିଲେ। ତେବେ ଏବେ ସେ ଗଁାରେ ଥିବା ନେଇ ବିଶେଷସୂତ୍ରରୁ ପୋଲିସ ଜାଣିବା ପରେ ଧରିବା ପାଇଁ ବୁଧବାର ଭୋର୍ ସମୟରେ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନ ଓ ଆଉ କେତେଜଣ ପୋଲିସ କର୍ମଚାରୀ ଧୁମାଳ ଗାଁରେ ଥିବା ଘରେ ଚଢ଼ାଉ କରି ଅଭିଯୁକ୍ତ ଅଜୟଙ୍କୁ ଗିରଫ କରିଥିଲା। ଏହାପରେ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଚୋରି ହୋଇଥିବା ୩ଟି ମୋବାଇଲ ସହିତ ଆଉ କେତେକ ଚୋରି ସାମଗ୍ରୀ ଜବତ କରିଥିଲେ। ପରେ ପୋଲିସ ତାଙ୍କୁ ଆଣି ଫାଣ୍ତିରେ ରଖି ପଚରାଉଚରା କରିଥିଲା। ହେଲେ ଅପରାହ୍ନ ପ୍ରାୟ ୩ଟା ସମୟରେ ଫାଣ୍ଡି ଅଧିକାରୀ ଓ ଅନ୍ୟ କର୍ମଚାରୀ ଶୋଇପଡ଼ିଥିଲେ। ଏହାର ସୁଯୋଗ ନେଇ କୌଶଳକ୍ରମେ ଫାଣ୍ଡିର ବାହାର ପଟୁ କବାଟରେ ଶିକୁଳି ଦେଇ ଚମ୍ପଟ ମାରିଥିଲେ। ଏହି ଖବର ଜଣାପଡ଼ିବା ପରେ ଅଭିଯୁକ୍ତଙ୍କ ମା ସହିତ ଆଉ କେତେଜଣ ମହିଳା ଫାଣ୍ଡିକୁ ଆସି ମୋ ପୁଅ କୁଆଡ଼େ ଗଲା ବୋଲି ପୋଲିସକୁ ପ୍ରଶ୍ନ କରିଥିବା ବେଳେ ପୁଅକୁ ମାରିଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସୂଚନା ଥାଉକି, ଏହି ଫାଣ୍ତିରେ ୪ଟି ହାଜତ ରହିଛି। କିନ୍ତୁ ଏହି ସବୁ ହାଜତ ଘରେ ପୋଲିସ ରୋଷେଇ ଘର କରିଥିବା ବେଳେ ଖଟିଆ ପକାଇ ରହୁଥିବା ଜଣାପଡିଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ପୋଲିସ ଗିରଫ କରିବା ପରେ ହାଜତ ଭିତରେ ନ ରଖି ବାହାରେ କାହିଁକି ରଖିଲେ ସେନେଇ ବିଭିନ୍ନ ମହଲରେ ନାନା ଚର୍ଚ୍ଚା ହେଉଛି। ଅନ୍ୟପଟେ ଫାଣ୍ତି ଅଧିକାରୀ ବାବୁଲି ପ୍ରଧାନଙ୍କ ବଦଳି ହୋଇଯାଇଥିଲେ ମଧ୍ୟ କାହିଁକି ଫାଣ୍ତିକୁ ଛାଡୁ ନାହାନ୍ତି ତାହା ମଧ୍ୟ ପୋଲିସ ବିଭାଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏ ପ୍ରସଙ୍ଗରେ ନିମାପଡ଼ା ଡିଏସ୍ପି ଦେବାଶିଷ ମିଶ୍ରଙ୍କୁ ପଚାରିବାରେ ଅଭିଯୁକ୍ତ ଖସିଯିବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ ହେଉଛି। ଅପରାଧୀ ବିରୋଧରେ ପୂର୍ବରୁ ମାମଲା ରହିଥିବାବେଳେ ଆଉ ଗୋଟିଏ ମାମଲା ରୁଜୁ କରାଯାଇଛି ବୋଲି କହିଥିଲେ।