କେବେ ମିଳିବ କରୋନାରୁ ମୁକ୍ତି, ବିଶେଷଜ୍ଞ କହିଲେ ଏଭଳି …

ନୂଆଦିଲ୍ଲୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ବେଲଗାମ୍‌ ହେବାରେ ଲାଗିଥିବାବେଳେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ରହିବା ସହିତ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଏପରିସ୍ଥଳେ କରୋନା ମହାମାରୀରୁ କେବେ ମୁକ୍ତି ମିଳିବ ସେ ନେଇ ବିଶେଷଜ୍ଞ ମତ ଦେଇଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ ଜୁନ୍‌ରେ ଦେଶରେ କରୋନା ସଂକ୍ରମଣ ଶୀର୍ଷରେ ରହିବ। ଏହାପରେ ଏକମାସ ମଧ୍ୟରେ ଏହା ଥମିବା ଆରମ୍ଭ କରିବ। ତେବେ ଏହି ସମୟ ମଧ୍ୟରେ ବେଶ୍‌ ସତର୍କ ରହିବାକୁ ପଡ଼ିବ। କରୋନା ଭୂତାଣୁ ଏବେ ବାୟୁରେ ବ୍ୟାପୁଥିବାରୁ ସାବଧାନତା ସହିତ ସମସ୍ତ ମାର୍ଗଦର୍ଶିକାକୁ ପାଳନ କରିବାକୁ ପଡ଼ିବ। ବିଶେଷ ଭାବେ ମାସ୍କ୍‌ ପିନ୍ଧିବାକୁ ଗୁରୁତ୍ୱଦେବା ସହିତ ସାମାଜିକ ଦୂରତା ବଜାୟ ରଖିବା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। କେତେକ ଚିକିତ୍ସା ବିଶେଷଜ୍ଞ ଏଭଳି ମତପୋଷଣ କରିଛନ୍ତି। ସତର୍କ ଏବଂ ସଚେତନ ରହିଲେ ସଂକ୍ରମଣ ଆଶଙ୍କା କମିଯିବ ବୋଲି ଜିଏସ୍‌ଭିଏମ୍‌ ମେଡ଼ିକାଲ କଲେଜର ପୂର୍ବତନ ପ୍ରଫେସର ଡ. ଏସ୍‌.କେ. କଟିଆର କହିଛନ୍ତି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ୪ ଗୁଣା ଅଧିକ ପ୍ରସ୍ତୁତିର ଆବଶ୍ୟକତା ରହିଥିବା କାନପୁରର ପୂର୍ବତନ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ. ଆର୍‌.ପି. ଯାଦବ କହିଛନ୍ତି। ସେହିପରି ସାବଧାନତା ଅବଲମ୍ବନ କଲେ ସଂକ୍ରମଣ କମିବ ବୋଲି ଆଇଏମ୍‌ଏ ପୂର୍ବତନ ଅଧ୍ୟକ୍ଷ ବରିଷ୍ଠ ଚିକିତ୍ସକ ଡ. ଏ.ସି. ଅଗ୍ରଓ୍ବାଲ ପ୍ରକାଶ କରିଛନ୍ତି।

Share