ଲୋଇସିଂହା, ୨୯।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଅଗ୍ରସେନ ଭବନରେ ଭାଜପା କାର୍ଯ୍ୟକାରିଣୀ ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା। ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି, ଏମ୍ପି ସଙ୍ଗୀତା କୁମାରୀ ସିଂଦେଓ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ସମ୍ମାନିତ ଅତିଥି ଥିଲେ। ୨୦୨୪ ପାଇଁ ବିଭିନ୍ନ କମିଟି ଗଠନର ଅଗ୍ରଗତି ସମ୍ପର୍କରେ ଜୟନାରାୟଣ ପଚାରି ବୁଝିଥିଲେ। ଦଳର ପାଟଣାଗଡ଼ ଏସ୍ସି ମୋର୍ଚ୍ଚାର ଜଣେ କାର୍ଯ୍ୟକର୍ତ୍ତା ମହାରାଣୀ ଓ ମହାରାଜାଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁ ବୈଠକ ବସିନାହିଁ ବୋଲି ସେ କହିଥିଲେ। ଦଳୀୟ ସଂଗଠନ ସୁଦୃଢ କରିବାକୁ ହେଲେ ଯେକୌଣସି ପରିସ୍ଥିତିରେ ବୈଠକ ବସିବା କଥା। ସେ ଆହୁରି କହିଥିଲେ ଯେ, ଆମ ଅଞ୍ଚଳ ମହାରାଣୀ ଓ ମହାରାଜା ମୁକ୍ତ ହୋଇଗଲାଣି। ଏହି ଅଞ୍ଚଳ କେବେ ସେଥିରୁ ମୁକ୍ତ ହେବ ବୋଲି କହିଥିଲେ। ବିରୋଧୀ ଦଳ ନେତା କେଉଁ ପରିସ୍ଥିତିରେ ଏପରି ମନ୍ତବ୍ୟ ଦେଲେ ତାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏ ବିଷୟରେ ଲୋଇସିଂହା ଭାଜପା ମଣ୍ଡଳ ସଭାପତି ସରୋଜ ସାହୁଙ୍କୁ ପଚାରିବାରୁ, ଥଟା ମଜାରେ ରାଜା, ରାଣୀ ପ୍ରସଙ୍ଗରେ ବିଧାୟକ ମିଶ୍ର ଲଘୁ ମନ୍ତବ୍ୟ ଦେଇଥିଲେ ବୋଲି କହିଛନ୍ତି।