ଚାଉଳ କେବେ ମହଙ୍ଗା ହେବ

ମନୋରଞ୍ଜନ ପଟ୍ଟନାୟକ

ୟଙ୍ଗ୍‌ ଇଣ୍ଡିଆରେ ଗାନ୍ଧିଜୀ ଲେଖିଥିଲେ, ୧୯୨୩ ମାର୍ଚ୍ଚ ୨୬ ଦିନ ସେ ପୁରୀ ବଡ଼ଦାଣ୍ଡରେ ଦୁର୍ଭିକ୍ଷ ପ୍ରପୀଡ଼ିତମାନଙ୍କ ଗହଣରେ ଉପସ୍ଥିତ ଥାଆନ୍ତି। ପୀଡ଼ିତମାନେ କରୁଣ ସ୍ବରରେ ରଡ଼ି ପକାଉଥାନ୍ତି ଆମକୁ ଖାଇବାକୁ ଦିଅ, ପଚାରୁଥାନ୍ତି ‘ଚାଉଳ କେବେ ଶସ୍ତା ହେବ’? ପାଖାପାଖି ଶହେ ବର୍ଷ ପରେ, ଆଜି ବି ଓଡ଼ିଆଙ୍କ ପାଖରେ ଚାଉଳ କିଣିବାକୁ ସମ୍ବଳ ନାହିଁ। ସରକାର ଟଙ୍କିକିଆ ଚାଉଳ ଦେଉଛନ୍ତି। ଯଦି ‘ସିଏମ୍‌ଆଇଇ’ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ବେରୋଜଗାର ସୂଚକାଙ୍କ ଅନ୍ୟ ରାଜ୍ୟ ତୁଳନାରେ ସବୁଠୁ ତଳେ ଓ ହରିୟାଣାରେ ୨୫.୭% ବେକାରି ଥିବାବେଳେ ଓଡ଼ିଶାରେ ମାତ୍ର ୧.୪୭% ବେକାରି, ତେବେ ଏ ଟଙ୍କିକିଆ ଚାଉଳର ଆବଶ୍ୟକତା କ’ଣ?
ସରକାର ଗରିବ ଶ୍ରେଣୀର ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ଘୋଷଣା କଲେ, ୮ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ଆହୁରି ୬ ମାସ ପର୍ଯ୍ୟନ୍ତ ମାଗଣାରେ ଅତିରିକ୍ତ ୫ କେଜି ଲେଖାଏଁ ଚାଉଳ ମିଳିବ I ସରକାର ଶସ୍ତା ଚାଉଳ ତ ଯୋଗେଇ ଦେଲେ। ଲୋକଙ୍କର ଖାଇବା ଚିନ୍ତା ନାହିଁ କି ଚାଷ ଚିନ୍ତା ବି ନାହିଁ I ଏମିତିବି ଧାନଚାଷରୁ ଲୋକେ ମୁହଁ ଫେରେଇଲେଣି। ଖର୍ଚ୍ଚ ପଇସା ଉଠୁନି I ଭାଗଚାଷ କରିବାକୁ ଲୋକେ ଅମଙ୍ଗ I
ଜମି ମାଲିକର ଜମି ପଡ଼ିଆ ପଡୁଛି I ରିଅଲ ଇଷ୍ଟେଟ ବାଲା ଗାଁ ଗାଁରେ ଆସି ଶସ୍ତାରେ ଜମି କିଣି ନେଉଛନ୍ତି I
ଚାଷଜମି ଗୁଣ୍ଠକୁ ଚାରି ହଜାରରେ ଲୋକେ କିଣୁ ନାହାନ୍ତି I ହେଲେ ଜମିରୁ ପଥର କାଟିବା ପାଇଁ ମାଣକୁ ଦୁଇ ଲକ୍ଷ ମିଳୁଛି I ଜମି ମାଲିକ ନିଜ ଜମି ପଥର ଖଣି କରିବାକୁ ଦେଇ, ଦୁଇ ଲକ୍ଷ ହାତେଇ ନେଉଛି।
ଦେଖିଲେ ଦୁଃଖ ଲାଗୁଛି, ଚିନ୍ତା ବି ଲାଗୁଛି। ଏହାର ଭବିଷ୍ୟତ କ’ଣ ? ବିସ୍ତୀର୍ଣ୍ଣ ସବୁଜ ଚାଷ ଜମି ଲୋପପାଇ ଆସିଲାଣି। ତା’ ଜାଗାରେ ଛିଡ଼ାହୋଇଛି ନିର୍ଜୀବ ମାଙ୍କଡ଼ା ପଥର ଗଦା I ଯେଉଁଆଡେ ଦେଖିବ ପଥର ଖଣି, ପଥର ଖୁଣ୍ଟି ଓ ତାରବାଡ଼। ଖଳା ବାଡ଼ିରେ ଆଉ କଳେଇ ଗଦା ନାହିଁ। ଗୁହାଳ ନାହିଁ କି ଗାଈ ବଳଦ ନାହାନ୍ତି। ନଡା କୁଟା ଆଉ ଘରକୁ ଆସୁନି I ବିଲରେ ଜଳୁଛି। ସବୁ କାମ ମେଶିନ କରୁଛି I
ବଳଦ ସାଙ୍ଗରେ ମଣିଷ ବି ଅଲୋଡ଼ା ହୋଇଛି। ମଣିଷ ହାତରେ କାମ ନାହିଁ। ମନରେଗା ସ୍କିମରେ ରୋଜଗାରର ସୁଯୋଗ ସୃଷ୍ଟି କରାଯାଉଛି ସତ, ହେଲେ ଗାଁର ପ୍ରକୃତ ଚିତ୍ର ଭିନ୍ନ। ଏ କଥା ଚର୍ଚ୍ଚା ହେଉଛି, ଦିନ ମଜୁରିଆ ସେ ସୁଯୋଗ ହାତେଇ ପାରୁନି। ମଣିଷ ବଦଳରେ ମେଶିନ କାମ କରୁଛି। ବ୍ୟାଙ୍କ ଖାତାରେ ପଇସା ପଶୁଛି ଓ ବାହାରୁଛି। ହେଲେ ମଣିଷର ପେଟ ପୂରୁନି I ମେଶିନ ଡିଜେଲ ପିଇ ପେଟ ଭରୁଛି। କିଏ ଜଣେ କହୁଥିଲା, ଦିନ ମଜୁରିଆର ବ୍ୟାଙ୍କ ଖାତା ତା’ ପାଖରେ ନାହିଁ I ତାକୁ ଆଉ କିଏ ଲୁଟୁଛି। କିଛି ଦିନ ହେଲା ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ସରକାରୀ ବାବୁ ତଥା ସେବକମାନଙ୍କ ସମ୍ପତ୍ତି ତାଲିକା ଦେଖିଲେ ଜଣାପଡ଼େ, ନିଶ୍ଚିତ ରୋଜଗାର କାହା ହାତରେ। ଓଡ଼ିଶାର ବେରୋଜଗାର ସୂଚକାଙ୍କର ପ୍ରକୃତ ଚିତ୍ର କେମିତି। ଯୋଜନା କେମିତି ବାଟବଣI ହୋଇଛି।
ଏଠି ପ୍ରଶ୍ନ ଉଠୁଛି, ଏମିତି କେତେ ଦିନ? ପାନ ଖାଇବା ବଦଳରେ ଏ ମଣିଷ ପାନେ ଖାଇବନି ତ।
ପିଲାବେଳେ ପଢ଼ିଥିଲେ, ”ଚାଷ କାମ ଯାହାର, କେତେ ସୁଖ ତାହାର, ସିଏ ସିନା ଦୁନିଆକୁ ଯୋଗାଉଛି ଆହାର!“ ହେଲେ ଏବେ ଚାଷୀର ଆଉ ସେ ସୁଖ ନାହିଁ। ତା’ ଜମି ଆଉ ଧାନ ଦଉନି, ତା’ ଗାଈ ଆଉ କ୍ଷୀର ଦଉନି। ସେ ତା’ ବଉଳାକୁ କଂସେଇ ହାତରେ ଆଉ ଚାଷ ଜମିକୁ ପଥର କଟାଳି ହାତରେ ଟେକି ଦେବାକୁ ଶ୍ରେୟ ମଣୁଛି। ସେ ଭଲ ଦି’ ପଇସା ପାଇବା ମୋହରେ ନିଜ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଉଛି। ଶସ୍ତା ଚାଉଳ ଖାଇବାଟା ତା’ ଅଭ୍ୟାସରେ ପଡ଼ିଗଲାଣି ଯେତେବେଳେ, ଖଟି ଖାଇବାକୁ ତା’ର ମନ ବଳୁନି ଯେମିତି। ଅର୍ଥନୈତିକ ସର୍ଭେ ରିପୋର୍ଟ ତଥ୍ୟ ଅନୁସାରେ, ୨୦୨୧-୨୨ ସୁଦ୍ଧା ୨୦୧୧-୧୨ ତୁଳନାରେ ମୁଣ୍ଡ ପିଛା ଆୟ ଦୁଇଗୁଣ ବୃଦ୍ଧି ପାଇଛି।
ଯଦିବି ସରକାରଙ୍କ ତଥ୍ୟ ଅନୁସାରେ, ଆମର ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଁ ୧.୨୭ ଲକ୍ଷ ହେଲାଣି, ଚାଷୀର ଆୟ କେତେ? ଆମ ରାଜ୍ୟରେ କୃଷି ଉପରେ ନିର୍ଭର କରି ଚଳୁଥିବା ଜନସଂଖ୍ୟା ମୋଟ ଜନସଂଖ୍ୟାର ୬୨ ପ୍ରତିଶତ। ତେବେ ଆମେ ଧନୀ ନା ଦରିଦ୍ର।
ଚାଷୀ ଏଠି ଦୟାର ପାତ୍ର ହୋଇ ମାଗଣା ଚାଉଳ ପାଇ ଖୁସି ହେଉଛି। ବଞ୍ଚି ଯାଉଛି। ନ ହେଲେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଛି। ଶିଳ୍ପପତି, ଠିକାଦାର, ଖଣି ବେପାରୀ, ମନ୍ତ୍ରୀ, ବିଧାୟକ, ସରକାରୀ କର୍ମଚାରୀ ପ୍ରମୁଖ ଉପରସ୍ତରର ଲୋକଙ୍କର ଧନ ବଢୁଛି। ଚାଷୀର ବିକାଶ ଘଟୁନି, ବରଂ ଧନିକ ଶ୍ରେଣୀର ଧନ ବଢୁଛି I ଚାଷୀ ମଣ୍ଡିରେ ଧାନ ବିକି ନ ପାରି ଦଲାଲକୁ ଧାର୍ଯ୍ୟ ମୂଲ୍ୟଠାରୁ କମ୍‌ ଦରରେ ବିକିବାକୁ ବାଧ୍ୟ ହେଉଛି। ଏ ବିକାଶରେ ଖୁସି ହେବାର ଅଛି କ’ଣ? କେତେଦିନ ଆମେ ଆନ୍ଧ୍ର ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରି ବଞ୍ଚିବା? ଚାଷୀ ପାଇଁ ଦୀର୍ଘକାଳୀନ ତଥା ସ୍ଥାୟୀ ସମାଧାନର ଆବଶ୍ୟକତା ଅଛି। ଜଳସେଚନ ଓ ଶୀତଳଭଣ୍ଡାରର ଆବଶ୍ୟକତା ଅଛି। ଅଧିକ ଅମଳ ତଥା ଆୟବୃଦ୍ଧି ପାଇଁ ଅର୍ଥକରୀ ଫସଲ ଓ ଚାଷ ପ୍ରଣାଳୀ ସମ୍ପର୍କିତ ତାଲିମର ଆବଶ୍ୟକତା ରହିଛି। ଚାଷୀ ମନରେ ଚାଷ ପ୍ରତି ମରିଯାଇଥିବା ଆଗ୍ରହକୁ ପୁନର୍ଜୀବିତ କରିବା ସହିତ ସ୍ବାବଲମ୍ବୀ ହେବା ପାଇଁ ସହଯୋଗର ଆବଶ୍ୟକତା ଅଛି। ଏହା ସହିତ ଚାଷୀ କିପରି ତା’ ପରିଶ୍ରମର ମୂଲ୍ୟ ପାଇବ ଓ ଋଣଯନ୍ତାରୁ ମୁକୁଳିବ ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର।
ଏଠି ଭାବିବାର ସମୟ ଆସିଛି, ପଚାରିବାର ସମୟ ଆସିଛି, ଚାଷୀ କେବେ ତା’ ଫସଲର ଉଚିତ ମୂଲ୍ୟ ପାଇବ? କେବେ ଆଉ ତାକୁ ଅଭାବୀ ବିକ୍ରି କରିବାକୁ ପଡ଼ିବ ନାହିଁ ? ଚାଷୀ କେବେ ସ୍ବାବଲମ୍ବୀ ହେବ? ଗାଁରେ ଚାଷୀ ତା’ ଚାଉଳ ବିକି ପାରୁନି। ପ୍ରାୟ ଲୋକଙ୍କ ପାଖରେ ଟଙ୍କିକିଆ ଚାଉଳ। କିଣିବ କିଏ। ଚାଷୀ ମନରେ ପ୍ରଶ୍ନ, ଚାଉଳ କେବେ ମହଙ୍ଗା ହେବ? ଅଧିକ ଦରରେ ସେ ଚାଉଳ ବିକିବ, ତା’ ଚାଷର ମୂଲ୍ୟ ମିଳିବ। ହେଲେ ଯାଇ ଚାଷୀ ଚାଷ କରିବ। ଚାଷରୁ ଲାଭ କରିବ। ଟଙ୍କିକିଆ ଚାଉଳ ଛାଡ଼ି ନିଜ ଜମିର ଚାଉଳ ଖାଇବ। ତା’ ସବୁଜ କ୍ଷେତ ପୁଣି ହସି ଉଠିବ।
ଧଉଳିମୁହଁ, ଖୋର୍ଦ୍ଧା
ମୋ:୯୪୩୭୫୨୦୮୦୦


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri