Categories: ଜାତୀୟ

୬-ଜି ସେବା ଆରମ୍ଭ ହେବ କେବେ ? ପ୍ରଧାନମନ୍ତ୍ରୀ ଦେଲେ ସୂଚନା…

ନୂଆଦିଲ୍ଲୀ, ୧୭।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି ଯେ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଦେଶରେ ୬-ଜି ସେବା ଆରମ୍ଭ ହେବାର ଆଶା ରହିଛି। ଏଥିପାଇଁ ସରକାରଙ୍କ ତରଫରୁ ଉଦ୍ୟମ ଆରମ୍ଭ ହୋଇଥିବା ସେ କହିଛନ୍ତି। ଦେଶରେ ୩-ଜି ଏବଂ ୪-ଜି ସେବା ଉପଲବ୍ଧ ଏବଂ ଆସନ୍ତା କିଛି ମାସ ମଧ୍ୟରେ ୫-ଜି ସେବା ଆରମ୍ଭ ହେବାକୁ ଯାଉଛି। ଟ୍ରାଇର ରୌପ୍ୟ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଏଭଳି ସୂଚନା ପ୍ରଦାନ କରିଛନ୍ତି।

କହିଛନ୍ତି ଯେ ଆସନ୍ତା ଦେଢ଼ ଦଶନ୍ଧି ମଧ୍ୟରେ ୫-ଜି ଦେଶର ଅର୍ଥନୀତିରେ ୪୫୦ ବିଲିୟନ ଡଲାରର ଯୋଗଦାନ ଦେବ ଏବଂ ଏହା ଦେଶର ପ୍ରଗତି ଏବଂ ନିଯୁକ୍ତି କ୍ଷେତ୍ରକୁ ତ୍ୱରାନ୍ବିତ କରିବ। ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଯୋଗାଯୋଗ ବ୍ୟବସ୍ଥା ଦେଶର ବିକାଶର ଗତି ର୍ନିଣ୍ଣୟ କରିବ।

ତେଣୁ ଏହାକୁ ପ୍ରତ୍ୟେକ ସ୍ତରରେ ଆଧୁନିକୀକରଣ କରିବାକୁ ପଡିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୫-ଜି ଟେକ୍ନୋଲୋଜି ଶାସନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବାକୁ ଯାଉଛି। ଏହା ଦ୍ୱାରା ଜୀବନ ଶୈଳୀ ସହଜ ଏବଂ ବ୍ୟବସାୟ କରିବାରେ ସହଜ ହେବା ସହିତ କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ଏବଂ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି ପାଇଁ ପ୍ରେରଣା ମିଳୁଛି।

ଟେଲିକମ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଏବଂ ଆଧୁନିକ ଜ୍ଞାନକୌଶଳର ଆତ୍ମନିର୍ଭରଶୀଳତା ଦେଶର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share