ନୂଆଦିଲ୍ଲୀ,୨୪।୪: ପହଲଗାମ ଆକ୍ରମଣ ପରେ, କେନ୍ଦ୍ର ସରକାର ଗୁରୁବାର ସମସ୍ତ ରାଜନୈତିକ ଦଳର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ସରକାର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ସମସ୍ତ ପକ୍ଷଙ୍କୁ ଅବଗତ କରାଇବେ ଏବଂ ସେମାନଙ୍କର ମତାମତ ମଧ୍ୟ ଶୁଣିବେ।
ହାଇଦ୍ରାବାଦ ଏମ୍ପି ଏବଂ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ଏହି ବୈଠକକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କୁ ଫୋନ କରି ବୈଠକରେ ଯୋଗଦେବାକୁ କହିଛନ୍ତି। ଶାହା ଶୀଘ୍ର ଆସିବାକୁ କହିଛନ୍ତି ନଚେତ୍ ବିଳମ୍ବ ହୋଇଯିବ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଡକାଯାଇଥିବା ସର୍ବଦଳୀୟ ବୈଠକ ବିଷୟରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି କହିଛନ୍ତି, ଏହି ସର୍ବଦଳୀୟ ବୈଠକ ଡକାଯିବାର କାରଣ ହେଉଛି ଏକ ଜାତୀୟ ଗୁରୁତ୍ୱର ପ୍ରସଙ୍ଗ। ଏବେ ସ୍ବରାଷ୍ଟ୍ର ମନ୍ତ୍ରୀ ମୋତେ ଫୋନ କରି ପଚାରିଛନ୍ତି ଯେ ମୁଁ କେଉଁଠି ଅଛି। ସେ ମୋତେ ଦିଲ୍ଲୀରେ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଆସିବାକୁ କହିଛନ୍ତି। ମୁଁ ତୁରନ୍ତ ଟିକେଟ ବୁକ କରୁଛି ଏବଂ ଯଥାଶୀଘ୍ର ସେଠାରେ ପହଞ୍ଚିବି।
ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକ ଉପରେ AIMIM ମୁଖ୍ୟ ଏବଂ ହାଇଦ୍ରାବାଦ ଏମ୍ପି ଅସଦୁଦ୍ଦିନ ଓୱେସି ପୂର୍ବରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଓଓ୍ବାଇସି କହିଥିଲେ, ତାଙ୍କୁ ଏହି ବୈଠକରେ ଯୋଗଦେବା ପାଇଁ ନରେନ୍ଦ୍ର ମୋଦି ସରକାର ପକ୍ଷରୁ ଡକାଯାଇ ନ ଥିଲା। ଏହା ପରେ, ସେ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ କରିବାକୁ ଅନୁରୋଧ କରିଥିଲେ।
ସର୍ବଦଳୀୟ ବୈଠକ ସାଧାରଣ ବୈଠକଠାରୁ ଟିକିଏ ଭିନ୍ନ। ଏହି ବୈଠକ ସେତେବେଳେ ଡକାଯାଏ ଯେତେବେଳେ ଏପରି କୌଣସି ଘଟଣା ଘଟେ ଯାହା ଦେଶର ସ୍ବାର୍ଥ ଉପରେ ବଡ଼ ପ୍ରଭାବ ପକାଏ। ଯେପରି ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ସମୟରେ କିମ୍ବା ୨୦୨୦ରେ ଭାରତ-ଚୀନ ସୀମା ବିବାଦ ସମୟରେ ସରକାର ଏପରି ବୈଠକ କରିଥିଲେ। ଏହି ବୈଠକରେ ସରକାର ବିରୋଧୀ ଦଳଗୁଡ଼ିକୁ ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଅନ୍ତି ଏବଂ ବିରୋଧୀ ନେତାମାନେ ମଧ୍ୟ ସରକାରଙ୍କ ସହିତ ସେମାନଙ୍କର ପରାମର୍ଶ ଏବଂ ଚିନ୍ତାଧାରା ବାଣ୍ଟିଥାନ୍ତି।


