Categories: ଜାତୀୟ

କେଉଁଠି ନଇଁଲେ, କେଉଁଠି ସିଧା

ନୂଆଦିଲ୍ଲୀ,୨ା୭ (ପି.ଟି.):ଲୋକ ସଭାରେ ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଘେରିବା ଦେଖିବାକୁ ମିଳିଛି। ରାହୁଲ ବାଚସ୍ପତିଙ୍କୁ ପ୍ରଶ୍ନ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହାତ ମିଳାଇଲା ବେଳେ ଆପଣ କାହିଁକି ମୁଣ୍ଡ ନୁଅଁାଉଛନ୍ତି। ଗତ ୨୬ ତାରିଖରେ ବାଚସ୍ପତି ଭାବେ ଓମ୍‌ ବିର୍ଲା ପୁନଃ ନିର୍ବାଚିତ ହେବା ପରେ ଗୃହର ପରମ୍ପରା ଅନୁଯାୟୀ ମୋଦି ଏବଂ ରାହୁଲ ତାଙ୍କୁ ତାଙ୍କ ପୋଡିୟମ୍‌କୁ ପାଛୋଟି ନେଇଥିଲେ। ହେଲେ ଏହି ସମୟରେ ଲକ୍ଷ୍ୟ କରିଥିବା ଗୋଟିଏ କଥା ସମ୍ପର୍କରେ ରାହୁଲ ଗୃହରେ କହିଛନ୍ତି ଯେ, ତାଙ୍କ ସହ ହାତ ମିଳାଇବାବେଳେ ବାଚସ୍ପତି ସିଧା ରହିଥିଲେ, କିନ୍ତୁ ମୋଦିଙ୍କ କ୍ଷେତ୍ରରେ ସେ ନତମସ୍ତକ ହୋଇଯାଇଥିଲେ।
ଏଭଳି ମନ୍ତବ୍ୟ ପରେ ବିରୋଧୀ ଦଳ ସଦସ୍ୟମାନେ ହସି ହସି କରତାଳି ଦେଇଥିବାବେଳେ ଭାଜପା ଏମ୍‌ପିମାନେ ପାଟିତୁଣ୍ଡ କରି ଆପତ୍ତି ଉଠାଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ହସ୍ତକ୍ଷେପ କରି କହିଛନ୍ତି, ଏହା ଉକ୍ତ ପଦବୀ ବିରୋଧରେ ଅଭିଯୋଗ। ରାହୁଲଙ୍କ ମନ୍ତବ୍ୟ ସମ୍ପର୍କରେ ବାଚସ୍ପତି କହିଛନ୍ତି ଯେ, ‘ମୋଠାରୁ ବୟସ୍କଙ୍କ ଆଗରେ ନତମସ୍ତକ ହେବା ମୋ ସଂସ୍କୃତି। ଦରକାର ପଡ଼ିଲେ ସେମାନଙ୍କ ପାଦ ଛୁଇଁବି। ପ୍ରଧାନମନ୍ତ୍ରୀ ହେଉଛନ୍ତି ଗୃହର ନେତା। ମୋ ସଂସ୍କୃତି ଏବଂ ପରମ୍ପରା ଏହା ଶିକ୍ଷା ଦେଉଛି ଯେ, ବୟସ୍କଙ୍କ ଆଗରେ ନଇଁକି ସମ୍ମାନ ଜଣାଇବା ଏବଂ ସମାସ୍କନ୍ଦ ଓ କମ୍‌ ବୟସ୍କଙ୍କୁ ସେହି ଅନୁଯାୟୀ ବ୍ୟବହାର କରିବା।’ ବାଚସ୍ପତିଙ୍କ ଏହି ଉତ୍ତରରେ ରାହୁଲ ଏକମତ ହୋଇ ନ ପାରି କହିଛନ୍ତି ଯେ, ଆପଣଙ୍କ ମତକୁ ସମ୍ମାନ ଜଣାଉଛି, କିନ୍ତୁ ଗୃହରେ ବାଚସ୍ପତିଙ୍କଠାରୁ କେହି ବଡ଼ ନୁହନ୍ତି। ଏଠାରେ ବୟସ ନୁହେଁ, ପଦବୀ ଗୁରୁତ୍ୱପୂର୍ଣ୍ଣ। ବାଚସ୍ପତିଙ୍କ ଆଗରେ ସମସ୍ତେ ନତମସ୍ତକ ହେବା ଉଚିତ୍‌, ଓଲଟା ସେ ନିଜେ ହେବା ଅନୁଚିତ। ବାଚସ୍ପତି ହେଉଛନ୍ତି ତତ୍ତ୍ୱାବଧାରକ, ସେ ଗୃହରେ ନିରପେକ୍ଷ ହେବା ଉଚିତ ବୋଲି ରାହୁଲ କହିଛନ୍ତି।
କି, ଗତ ୨୬ ତାରିଖରେ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଓମ୍‌ ବିର୍ଲା ପ୍ରଥମ ପଦକ୍ଷେପ ଭାବେ ୧୯୭୫ ମସିହା ଜୁନ୍‌ ୨୫ ତାରିଖ ମଧ୍ୟରାତ୍ରିରେ ଲାଗୁ ହୋଇଥିବା ଜରୁରିକାଳୀନ ପରିସ୍ଥିତି ସମ୍ପର୍କରେ ନିନ୍ଦା ପ୍ରସ୍ତାବ ଆଣିଥିଲେ। ଏହାକୁ ରାହୁଲ ରାଜନୈତିକ ପଦକ୍ଷେପ ବୋଲି କହିବା ସହ ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଭେଟି ଆପତ୍ତି ଉଠାଇଥିଲେ। ଏହାପରେ ରାହୁଲ ସୋମବାର ଗୃହରେ ବାଚସ୍ପତିଙ୍କୁ ନତମସ୍ତକ ପ୍ରସଙ୍ଗରେ ଘେରିଛନ୍ତି।

Share