ଭାଜପାର ଅଚ୍ଛେଦିନ୍‌ କୁଆଡ଼େ ଗଲା: ନବୀନ

ଭୁବନେଶ୍ୱର,୧୬ା୫ (ଅନିଲ ଦାସ)ଭାଜପା କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି, ଅଚ୍ଛେଦିନ କୁଆଡ଼େ ଗଲା। ଉତ୍ତର ଦେଉନାହାନ୍ତି କାହିଁକି ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଭାଜପା ନେତାମାନଙ୍କୁ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ବୁଧବାର ସମ୍ବଲପୁର ଲୋକ ସଭା କ୍ଷେତ୍ରର ଦେବଗଡ଼, ଛେଣ୍ଡିପଦା ଓ ଆଠମଲ୍ଲିକ ଏବଂ ସୁନ୍ଦରଗଡ଼ ଲୋକ ସଭା କ୍ଷେତ୍ରର ରାଉରକେଲାରେ ନିର୍ବାଚନ ପ୍ରଚାର କରି କହିଛନ୍ତି ଯେ ଓଡ଼ିଶାରେ ଜୁଲାଇରୁ ମାଗଣା ବିଜୁଳି ମିଳିବ, ଆପଣମାନେ ଖୁସି ତ। ନବୀନ ପଟ୍ଟନାୟକ ଭଲ କି ପ୍ରଶ୍ନରେ ‘ହଁ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ। ସେ ତାଙ୍କ ସରକାରର ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ଲୋକଙ୍କୁ ପଚାରିଛନ୍ତି। ବିଏସ୍‌କେୱାଇ, ମିଶନ ଶକ୍ତି, ମମତା, କାଳିଆ, ଲକ୍ଷ୍ମୀ ବସ୍‌, ୫-ଟି ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରଶିପ୍‌ ଭଳି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସେ ପଚାରିଛନ୍ତି ଏବଂ ଜନତା ବିପୁଳ ସମ୍ମତି ଦେଇଛନ୍ତି। ଦେବଗଡ଼, ଛେଣ୍ଡିପଦା ଓ ଆଠମଲ୍ଲିକରେ ଆୟୋଜିତ ନିର୍ବାଚନୀ ସଭାରେ ବିପୁଳ ଜନସମାଗମ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଉପସ୍ଥିତ ଜନତା ଭାବବିହ୍ବଳ ହୋଇଯାଇ ଉଚ୍ଛ୍ବସିତ ସ୍ବରରେ ଜିନ୍ଦାବାଦ ଧ୍ୱନି କରି ନବୀନଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି । ମା’ ସମଲେଇ ଏବଂ ପରିକ୍ରମା ପ୍ରକଳ୍ପ ବିଷୟରେ ମତାମତ ନେବାବେଳେ ଉପସ୍ଥିତ ଲୋକ କରତାଳି ଦେଇ ନିଜର ଖୁସି ପ୍ରକାଶ କରିଛନ୍ତି। ଏମ୍‌ପି ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।