Categories: ଜାତୀୟ

୧୩ ବର୍ଷରେ ସାଢ଼େ ୧୭ ଲକ୍ଷରୁ ଅଧିକ ଭାରତୀୟ କୁଆଡେ ଗଲେ ? ପ୍ରତିବର୍ଷ ଏକ ଲକ୍ଷରୁ ଅଧିକ ଲୋକ ଛାଡୁଛନ୍ତି ଦେଶ…

ନୂଆଦିଲ୍ଲୀ,୨୫।୭ : ଗତ ୧୩ ବର୍ଷ ୨୦୧୧ ରୁ ୨୦୨୩ ମଧ୍ୟରେ ସାଢ଼େ ୧୭ ଲକ୍ଷରୁ ଅଧିକ ଲୋକ ଭାରତର ନାଗରିକତ୍ୱ ତ୍ୟାଗ କରିଛନ୍ତି। ଏହି ଲୋକମାନେ ବିଦେଶରେ ବସବାସ କରିଛନ୍ତି। ହେନଲି ପ୍ରାଇଭେଟ ଧନ ସ୍ଥାନାନ୍ତରଣ ରିପୋର୍ଟ ୨୦୨୩ ମଧ୍ୟ ଏହି ବିଷୟରେ ଆସିଛି। ଏଥିରେ ମଧ୍ୟ ଭାରତ ଛାଡିଥିବା ନାଗରିକଙ୍କ ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। କେବଳ ଏତିକି ନୁହେଁ, ଏହା ମଧ୍ୟ କୁହାଯାଇଛି ଲୋକମାନେ କାହିଁକି ଭାରତର ନାଗରିକତ୍ୱ ଛାଡି ବିଦେଶରେ ବସବାସ କରୁଛନ୍ତି?

କେନ୍ଦ୍ର ବହିର୍ବ୍ୟାପାର ମନ୍ତ୍ରଣାଳୟ ୧୩୫ଟି ଦେଶର ଏକ ତାଲିକା ପ୍ରକାଶ କରିଛ ନ୍ତି। ଯେଉଁଠାକୁ ସାଢ଼େ ୧୭ ଲକ୍ଷରୁ ଅଧିକ ଭାରତୀୟ ଯାଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଭାରତର ନାଗରିକତ୍ୱ ଛାଡି ଅନେକ ଲୋକ ପାକିସ୍ଥାନ, ବାଂଲାଦେଶ, ମ୍ୟାନମାର, ଶ୍ରୀଲଙ୍କା, ନେପାଳ ଏବଂ ଏପରିକି ଚାଇନା ନାଗରିକତ୍ୱ ନେଇଛନ୍ତି। ଭାରତ ଛାଡିବା ପରେ ଅଧିକାଂଶ ଲୋକ ଆମେରିକାରେ ବସବାସ କରିଛନ୍ତି। ସେମାନଙ୍କ ସଂଖ୍ୟା ପ୍ରାୟ ସାତ ଲକ୍ଷ ବୋଲି କୁହାଯାଉଛି।

ଏହା ବ୍ୟତୀତ ବହୁ ସଂଖ୍ୟକ ଲୋକ ବ୍ରିଟେନ, ରୁଷିଆ, ଜାପାନ, ଇସ୍ରାଏଲ, ଇଟାଲୀ, ଫ୍ରାନ୍ସ, ୟୁଏଇ, ୟୁକ୍ରେନ, ନ୍ୟୁଜିଲାଣ୍ଡ, କାନାଡା, ଜର୍ମାନୀ ଭଳି ଦେଶରେ ମଧ୍ୟ ପହଞ୍ଚିଛନ୍ତି। କିଛି ଲୋକ ଉଗାଣ୍ଡା, ପାପୁଆ ନ୍ୟୁ ଗିନି, ମୋରୋକୋ, ନାଇଜେରିଆ, ନରୱେ, ଜାମ୍ବିଆ, ଚିଲି ଭଳି ଦେଶର ନାଗରିକତ୍ୱ ମଧ୍ୟ ନେଇଛନ୍ତି।

ମୌସୁମୀ ଅଧିବେଶନରେ ଏମପି କୀର୍ତ୍ତୀ ଚିଦାମ୍ବରମଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି କରୋନା ପରେ ୨୦୨୨ ମସିହାରେ ସର୍ବାଧିକ ୨.୨୫ ଲକ୍ଷ ଲୋକ ଭାରତର ନାଗରିକତ୍ୱ ଛାଡିଛନ୍ତି।

ସଂସଦରେ କେନ୍ଦ୍ର ବହିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ଅଧିକାଂଶ ଲୋକ କାମ ପାଇଁ ବିଦେଶ ଯାଇ ବ୍ୟକ୍ତିଗତ ସୁବିଧା ଯୋଗୁୁ ସେଠାରେ ରହିବା ଆରମ୍ଭ କରନ୍ତି। ଏଭଳି ପରିସ୍ଥିତିରେ ସରକାର ଭାରତୀୟଙ୍କ ସ୍ଥାନାନ୍ତରଣକୁ ରୋକିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ମେକ ଇନ ଇଣ୍ଡିଆ ମାଧ୍ୟମରେ ଭାରତରେ ନାଗରିକମାନଙ୍କୁ ଉନ୍ନତ କ୍ୟାରିୟର ବିକଳ୍ପ ଯୋଗାଇବା ପାଇଁ ପ୍ରୟାସ କରାଯାଉଛି। ଏହାର ପ୍ରଭାବ ମଧ୍ୟ ଘଟୁଛି ।

Share