Categories: ଜାତୀୟ

ବଜେଟ ଆବଣ୍ଟିତ ଟଙ୍କା କୁଆଡେ ଗଲା, ସରକାରୀ ସ୍କୁଲ ଅବସ୍ଥା ନେଇ କର୍ନାଟକ ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ…

ବେଙ୍ଗାଲୁରୁ,୧୦।୧୦ : କର୍ନାଟକ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ସମାଳୋଚନା କରିଛନ୍ତି। କୋର୍ଟ କହିଛନ୍ତି ସରକାରୀ ସ୍କୁଲରେ ମୌଳିକ ସୁବିଧା ଯୋଗାଇବାରେ ସରକାରଙ୍କ ବିଫଳତା ଗରିବ ଲୋକଙ୍କୁ ସେମାନେଙ୍କ ପିଲାଙ୍କୁ ଘରୋଇ ସ୍କୁଲକୁ ପଠାଇବାକୁ ବାଧ୍ୟ କରିଛି। ଯେଉଁମାନେ ଦିନକୁ ଦୁ ଦୁଇବେଳା ଖାଇବାକୁ ପାଉ ନାହାନ୍ତି ସେମାନେ କିଭଳି ଘରୋଇ ସ୍କୁଲର ଖର୍ଚ୍ଚ ବହନ କରିବେ ଏହା ସରକାର ଚିନ୍ତା କରି ନାହାନ୍ତି।

ମୁଖ୍ୟ ବିଚାରପତି ପ୍ରସନ୍ନ ବି. ଭାରାଲେ ଏବଂ ଜଷ୍ଟିସ କୃଷ୍ଣ ଏସ. ଦୀକ୍ଷିତଙ୍କ ବେଞ୍ଚ ପ୍ରଶ୍ନ କରିଛନ୍ତି ଶିକ୍ଷା କେବଳ ସୁବିଧାଜନକ ପିଲାମାନଙ୍କ ପାଇଁ ସଂରକ୍ଷିତ କି? ମିଡିଆ ରିପୋର୍ଟ ଆଧାରରେ ୨୦୧୩ ରେ କୋର୍ଟରେ ଦାଖଲ ହୋଇଥିବା ଏକ ପିଆଇଏଲ ଶୁଣାଣି ବେଳେ ବେଞ୍ଚ ଏହି ପ୍ରଶ୍ନ ପଚାରିଛନ୍ତି।

ଅଦାଲତ କହିଛନ୍ତି ସରକାରୀ ସ୍କୁଲରେ ଶୌଚାଳୟର ଅଭାବ ଏବଂ ପାନୀୟ ଜଳ ସୁବିଧା ସହ ଜଡିତ ଅଭାବ ସାମ୍ନାକୁ ଆସିଛି। କିନ୍ତୁ ଏହି ଅଭାବ ଦୂର କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। କୋର୍ଟ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ୪୬୪ ସରକାରୀ ସ୍କୁଲରେ ଶୌଚାଳୟର ଅଭାବ ରହିଛି ଏବଂ ୩୨ ଟିରେ ପାନୀୟ ଜଳ ସୁବିଧା ମଧ୍ୟ ନାହିଁ।

ଆଠ ସପ୍ତାହ ମଧ୍ୟରେ ସମସ୍ତ ବିଦ୍ୟାଳୟରେ ଦିଆଯାଉଥିବା ମୌଳିକ ସୁବିଧା ଉପରେ ଏକ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କହିଛନ୍ତି, ’ରାଜ୍ୟକୁ ଏସବୁ କହିବା ଆମର କାମ କି? ଏହି ସବୁ ବର୍ଷ ଧରି ଚାଲିଆସୁଛି। କିଛି ପରିମାଣର ଅର୍ଥ ସ୍କୁଲ ଏବଂ ଶିକ୍ଷା ବିଭାଗ ପାଇଁ ବଜେଟରେ ଆବଣ୍ଟିତ କରା ଯାଉଛି। ସେହି ପରିମାଣର ଟଙ୍କା କ’ଣ ହେଲା? ସେସବୁ କୁଆଡେ ଗଲ ?

ଗରିବଙ୍କ ପାଇଁ ରାଜ୍ୟ ସରକାରଙ୍କ ମାଗଣା ଯୋଜନା ସମ୍ପର୍କରେ ଶୁଣାଣି ସମୟରେ କୋର୍ଟ କହିଛନ୍ତି ଏଭଳି ଯୋଜନାରେ କୌଣସି ଅସୁବିଧା ନାହିଁ, କିନ୍ତୁ ଯେଉଁ ସ୍ବୁଲରେ ଗରିବ ଛାତ୍ରୀଛାତ୍ରମାନେ ଅଧ୍ୟୟନ କରନ୍ତି ସେହି ସ୍କୁଲଗୁଡ଼ିକରେ ଅତ୍ୟାବଶ୍ୟକ ତଥା ମୌଳିକ ସୁବିଧା ଯୋଗାଇବା ଗୁରୁତ୍ୱପୂର୍ଣ୍ଣ।

କୋର୍ଟ କହିଛନ୍ତି, ’ଶିକ୍ଷା ଏକ ମୌଳିକ ଅଧିକାର, କିନ୍ତୁ ସରକାର ସରକାରୀ ସ୍କୁଲରେ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି, ଯେଉଁଥିପାଇଁ ଗରିବ ଲୋକମାନେ ନିଜ ପିଲାମାନଙ୍କୁ ଘରୋଇ ସ୍କୁଲକୁ ପଠାଇବାକୁ ବାଧ୍ୟ ହେଉଛନ୍ତି। ଘରୋଇ ବିଦ୍ୟାଳୟଗୁଡ଼ିକ ପରୋକ୍ଷରେ ଏଥିରୁ ଉପକୃତ ହେଉଛନ୍ତି।

Share