କେଉଁଠୁ ଆସିଲା ଧଳା ରଙ୍ଗର ବଜ୍ରକାପ୍ତା: ବଜାର ମୂଲ୍ୟ ୫ ଲକ୍ଷ

କୋଟପାଡ଼,୧ା୮(ଡି.ଏନ.ଏ.): କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରେ ବଜ୍ରକାପ୍ତା ଚୋରାଚାଲାଣ ବେଳେ ବନ ବିଭାଗ ଚଢ଼ାଉ କରି ଶନିବାର ଧରିଛି। ତେବେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ବିଶାଳ କୁମାର ଫେରାର ହୋଇଯାଇଛନ୍ତି। କୋଟପାଡ଼ ନିକଟସ୍ଥ ବଣିଆ ଗ୍ରାମର ଇନ୍ଦ୍ରାବତୀ ପୋଲଠାରେ ବଜ୍ରକାପ୍ତା ବିକ୍ରି ସକାଶେ ମୂଲଚାଲ୍‌ ହେଉଥିବା ଖବର ପାଇ ଜୟପୁର ଏସିଏଫ୍‌ଓ ପ୍ରଭୁଦତ୍ତ ହିମାଂଶୁ ମିଶ୍ର ଏକ ଟିମ୍‌ ନେଇ ଚଢ଼ାଉ କରିଥିଲେ। ତେବେ ବନ କର୍ମଚାରୀଙ୍କୁ ଦେଖି ବିଶାଳ କୁମାର ବଜ୍ରକାପ୍ତା ଆଣିଥିବା ଅଖାମୁଣାକୁ ଛାଡ଼ି ଦୌଡ଼ି ପଳାଇଥିଲେ। ତାଙ୍କୁ ପିଛା କରିଥିଲେ ମଧ୍ୟ କର୍ମଚାରୀମାନେ ଧରିପାରି ନ ଥିଲେ। ସେଠାରୁ ଜବତ ଅଖାମୁଣାରୁ ଏକ ଧଳାରଙ୍ଗର ବଜ୍ରକାପ୍ତା ମିଳିଥିଲା। ଏହାର ଓଜନ ୫ କେଜି ଏବଂ ବଜାର ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଉକ୍ତ ଅଞ୍ଚଳରେ ଏଭଳି ଧଳା ରଙ୍ଗର ବଜ୍ରକାପ୍ତା ଦେଖାଯିବା ବିରଳ। ଏହାକୁ ଅନ୍ୟ ରାଜ୍ୟରୁ ଆଣି କୋଟପାଡ ଅଞ୍ଚଳରେ ବିକ୍ରି କରାଯାଉଛି। ଏହା ପଛରେ ଏକ ର଼୍ୟାକେଟ୍‌ କାମ କରୁଥିବା ସନ୍ଦେହ କରାଯାଉଛି। ଏନେଇ ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର ଫେରାର ଅଭିଯୁକ୍ତ ବିଶାଳ କୁମାରଙ୍କୁ ଗିରଫ କରାଯିବ ବୋଲି ଏସିଏଫ୍‌ ମିଶ୍ର କହିଛନ୍ତି। ଚଢ଼ାଉରେ ଲିସ୍ମିତା କଅଁର, ଜୟପୁରର ଡେପୁଟି ରେଞ୍ଜର ଟଙ୍କଧର ଦାସ, ଚାନ୍ଦଲି ଫରେଷ୍ଟର ଦେବଦତ୍ତ ନାୟକଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ।

Share