କାହିଁ ଗାନ୍ଧୀଙ୍କ କୁଟୀରଶିଳ୍ପ ନୀତି

ଭଦ୍ରକ ଜିଲା ଧାମନଗର ବ୍ଲକର ସ୍ବାଧୀନତା ସଂଗ୍ରାମୀ ରାମହରି ଗୋସ୍ବାମୀ। କୃଷ୍ଣ ଚନ୍ଦ୍ର ଗୋସ୍ବାମୀ ଏବଂ ମାତା ସଚୀ ଦେଈଙ୍କଠାରୁ ୧୯୨୬ରେ ଧୂଷୁରୀ ପଞ୍ଚାୟତର ସଂଗ୍ରାମୀ ମାଟି ସୂର୍ଯ୍ୟପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଛାତ୍ରାବସ୍ଥାରେ ଅର୍ଥାତ୍‌ ମାତ୍ର ୧୬/୧୭ ବର୍ଷ ବୟସରେ ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ଉଦ୍‌ବୁଦ୍ଧ ହୋଇ ସେ ସଂଗ୍ରାମରେ ସାମିଲ ହୋଇଥିଲେ। ଭଣ୍ଡାରୀ ପୋଖରୀ ଥାନାପୋଡ଼ି, ଲୁଣିଆ ଗୁଳିକାଣ୍ଡ ଏବଂ ସ୍ବାଧୀନତା ସଂଗ୍ରାମରେ ପ୍ରତ୍ୟକ୍ଷ ଭାବେ ଜଡିତ ହୋଇ ବାଲେଶ୍ୱର ଜେଲରେ କିଛି ମାସ କାରାବରଣ କରିଥିଲେ। ପ୍ରକୃତ ସ୍ବାଧୀନତାର ସ୍ବାଦ ଭାରତବାସୀ ଚାଖି ନ ଥିବା ସେ ପ୍ରକାଶ କରିଛନ୍ତି। ଏବେ ସରକାର ସଂଗ୍ରାମୀଙ୍କୁ ଓ ସେମାନଙ୍କ ଅନ୍ତେ ସେମାନଙ୍କ ସହଧର୍ମିଣୀଙ୍କୁ ପେନସନ ଦେଉଛନ୍ତି। ତେବେ ସେମାନଙ୍କ ଅନ୍ତେ ତାଙ୍କ ବଂଶଧରଙ୍କୁ କିଛି ସହାୟତା ପ୍ରଦାନ କଲେ ତ୍ୟାଗୀ ପରିବାରର ଲୋକେ ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି। ଏବେ ଦେଶର ଶାସନତନ୍ତ୍ରରେ ଲୋକଦେଖାଣିଆ ଭାବ ବେଶି ରହୁଛି। ଦେଶରେ ସବୁ ରାଜନୈତିକ ଦଳ ବିକାଶ କରିଥିଲେ ମଧ୍ୟ ବେକାରି ଏବଂ ଦୁର୍ନୀତି ସମସ୍ୟା ଚରମରେ ପହଞ୍ଚି ସାଧାରଣ ଜନତାଙ୍କୁ ପରାଧୀନ ଅବସ୍ଥାକୁ ନେଇ ଆସୁଛି। ମହାତ୍ମା ଗାନ୍ଧୀଙ୍କ କୁଟୀରଶିଳ୍ପ ନୀତିକୁ ସରକାର ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇ ବଡ଼ ଭୁଲ୍‌ କରୁଛନ୍ତି। ଯାହାଦ୍ୱାରା ବେକାରି ସମସ୍ୟା ଦୂର ହୋଇ ପାରୁ ନ ଥିବା ସେ କହିଛନ୍ତି।
– ରିପୋର୍ଟ: ଅଜିତ ରାଉତ, ଧାମନଗର

Share