ଜାତିସଂଘର ସ୍ଥାୟୀ ବିକାଶ ସମାଧାନ ନେଟ୍ଓ୍ବର୍କ ପକ୍ଷରୁ ପ୍ରକାଶିତ ବିଶ୍ୱ ହାପିନେସ୍ ରିପୋର୍ଟ ୨୦୨୩ରେ ଭାରତ ୧୨୬ ତମ ସ୍ଥାନରେ ଅଛି। ତାଲିକାରେ ଫିନ୍ଲାଣ୍ଡ ସବୁଠୁ ସୁଖୀ ଦେଶ ହୋଇଥିବାବେଳେ ଡେନ୍ମାର୍କ ଦ୍ୱିତୀୟ ଏବଂ ଆଇସ୍ଲାଣ୍ଡ ତୃତୀୟ ସ୍ଥାନରେ ରହିଛନ୍ତି। ପୃଥିବୀର ମୋଟ ୧୯୫ ଦେଶ ମଧ୍ୟରୁ ୧୫୦ ଦେଶରେ ଏହି ସର୍ଭେ କରାଯାଇଛି। ମୁଖ୍ୟତଃ ମୁଣ୍ଡପିଛା ଜିଡିପି, ସାମାଜିକ ସହଯୋଗ, ଉଦାରତା, ସୁସ୍ଥ ଜୀବନ, ସ୍ବାଧୀନତା ଓ ଦୁର୍ନୀତିକୁ ସର୍ବନିମ୍ନ ମାପଦଣ୍ଡ ଭାବେ ନେଇ ସୁଖୀ ରାଷ୍ଟ୍ର ଚୟନ କରାଯାଇଥାଏ। ଉଲ୍ଲେଖନୀୟ ଯେ, ତାଲିକାରେ ଭାରତ ଏହାର ପଡ଼ୋଶୀ ଦେଶ ନେପାଳ, ଚାଇନା, ବାଂଲାଦେଶ, ପାକିସ୍ତାନ ଓ ଶ୍ରୀଲଙ୍କା ତଳେ ରହିଛି। ବିଗତ ବର୍ଷଗୁଡ଼ିକରେ ପ୍ରକାଶିତ ହାପିନେସ୍ ରିପୋର୍ଟରେ ଭାରତ ବି ପଛରେ ରହିଆସିଛି। ତେବେ ସୂଚକାଙ୍କରେ ଲଗାତର ତଳେ ରହିବାର ଅନେକ କାରଣ ଅଛି। ଦ୍ରୁତ ସହରୀକରଣ, ସହରରେ ବଢୁଥିବା ଭିଡ଼, ଜନସଂଖ୍ୟା ବୃଦ୍ଧି, ସ୍ବାସ୍ଥ୍ୟ ଚିକିତ୍ସାର ମୂଲ୍ୟ ବୃଦ୍ଧି ସହିତ ନିମ୍ନମାନର ସ୍ବାସ୍ଥ୍ୟସେବା, ପ୍ରଦୂଷଣ ଏବଂ ମହିଳା ଓ ସଂଖ୍ୟାଲଘୁଙ୍କ ବିରୋଧରେ ବଢୁଥିବା ଅପରାଧ ଭାରତୀୟମାନଙ୍କ ଅସୁଖୀ ହେବାର ପ୍ରମୁଖ କାରଣ ବୋଲି ଦର୍ଶାଯାଇଛି। ପ୍ରଦୂଷଣ କ୍ଷେତ୍ରକୁ ଦେଖିଲେ ବିଶ୍ୱର ସବୁଠୁ ପ୍ରଦୂଷିତ ୫୦ଟି ସହର ମଧ୍ୟରୁ ଭାରତରେ ଅଛି ୩୯ଟି। ଏହାବାଦ୍ ସବୁବେଳେ ସାମାଜିକ ଓ ପାରିବାରିକ ବିଷୟରେ ବସୁଧୈବ କୁଟୁମ୍ବକମ୍ କଥା କୁହାଯାଉଥିବାବେଳେ ସାମାଜିକ ସହଯୋଗ କ୍ଷେତ୍ରରେ ଭାରତ ଅତ୍ୟନ୍ତ ଦୁର୍ବଳ। ସେହିଭଳି ବଜେଟକୁ ଅମୃତକାଳ ବଜେଟ ଆଖ୍ୟା ଦିଆଯାଉଛି, ୨୦୪୭ ବେଳକୁ ଭାରତ ବିକଶିତ ଦେଶ ହେବ ବୋଲି ଦାବି କରାଯାଉଥିବାବେଳେ ମୁଣ୍ଡପିଛା ମୋଟ ଘରୋଇ ଉପତ୍ାଦରେ ଭାରତ ବାଂଲାଦେଶ ଓ ଶ୍ରୀଲଙ୍କା ପଛରେ ଅଛି।
ସୁଖୀ ହେବା ଲାଗି ଆଇନ ଶାସନର ଗୁରୁତ୍ୱ ରହିଛି। କିନ୍ତୁ ଭାରତରେ ଏହାର ଅଧୋଗତି ଦେଖିବାକୁ ମିଳୁଛି। କାରଣ ଏଠାରେ ସାମ୍ବିଧାନିକ ସଂସ୍ଥାଗୁଡ଼ିକର ଅପବ୍ୟବହାର ହେଉଛି। ତତ୍ସହିତ ମହିଳା ଓ ଶିଶୁଙ୍କ ପ୍ରତି ଅତ୍ୟାଚାର ବୃଦ୍ଧିପାଉଛି। ନାଗରିକମାନଙ୍କ ବାକ୍ ତଥା ଧର୍ମୀୟ ଓ ବୃତ୍ତିଗତ ସ୍ବାଧୀନତାରେ ବାଧା ସୃଷ୍ଟି କରାଯାଉଛି। ଜନଗଣନା ବନ୍ଦ ରହିଥିଲେ ମଧ୍ୟ ଚଳିତ ବର୍ଷ ଭାରତ ବିଶ୍ୱର ସବୁଠୁ ଜନବହୁଳ ଦେଶ ହେବାକୁ ଯାଉଛି। ଭାରତର ଜନସଂଖ୍ୟାର ବୃହତ୍ ଭାଗ ହେଉଛନ୍ତି କୃଷକ। ନିଯୁକ୍ତି ଅପେକ୍ଷାରେ ରହିଛନ୍ତି ବିରାଟ ଯୁବଶକ୍ତି। କିନ୍ତୁ ବେରୋଜଗାର ବଢ଼ିବା ସହିତ କୃଷିଭିତ୍ତିକ ନିଯୁକ୍ତି ହ୍ରାସ ପାଇବାରେ ଲାଗିଛି। ତେବେ ଅସୁଖୀର ବାସ୍ତବତାକୁ ସ୍ବୀକାର କରି ସମାଧାନ ପାଇଁ ବାଟ କରିବା ଦରକାର। ସୁଖୀ ସୂଚକାଙ୍କରେ ଦେଶର ସ୍ଥିତିରେ ଉନ୍ନତି ଆଣିବା ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ନାଗରିକଙ୍କ ମନରେ ବିଶ୍ୱାସ ଏବଂ ଶାନ୍ତିର ମାନସିକତା ସୃଷ୍ଟି କରିପାରିଲେ ଦେଶର ସ୍ଥିତି ଆପଣାଛାଏଁ ଉନ୍ନତ ହୋଇପାରିବ।
ଯେଉଁ ଦେଶରେ ଲୋକେ ସୁଖରେ ଅଛନ୍ତି ବୋଲି ସୂଚକାଙ୍କରେ ଦର୍ଶାଯାଇଛି ସେଗୁଡ଼ିକୁ ଅନୁଧ୍ୟାନ କଲେ ତନ୍ମମଧ୍ୟରୁ ଅଧିକାଂଶ ଶିଳ୍ପ, ବ୍ୟବସାୟ କିମ୍ବା ପୁଞ୍ଜିବାଦରେ ଲିପ୍ତ ନୁହନ୍ତି; ଯେଉଁଥିପାଇଁ ଆମେରିକା, ଜର୍ମାନୀ ଭଳି ଦେଶ ସର୍ବାଗ୍ରରେ ନାହାନ୍ତି। ଭାରତରେ ଯଦି ତାହାର ପୁଞ୍ଜିବାଦ ନୀତି ପରିବର୍ତ୍ତେ ସାଧାରଣ ନାଗରିକଙ୍କ ମନରେ ସାମାଜିକ ସହଯୋଗ ସହିତ ଶାନ୍ତିର ପରିବେଶ ସୃଷ୍ଟି କରାଯାଇପାରନ୍ତା, ତେବେ ସୁଖରେ ବଞ୍ଚିବା ସମ୍ଭବପର ହୋଇପାରନ୍ତା। ଦୁଃଖର ବିଷୟ ଯେ, ଭାରତ କିଛି ଦଶନ୍ଧି ହେବ କେବଳ ପୁଞ୍ଜିବାଦ ଚିନ୍ତାଧାରାରେ ଲିପ୍ତ ରହୁଥିବାରୁ ସୁଖ ହ୍ରାସ ପାଉଛି। ମଣିଷ ଯେତିକି ବସ୍ତୁବାଦୀ ହେବ ସେତିକି ଅଶାନ୍ତ ହେବ। ତେବେ ସବୁ ଦିଗରେ ଆମେ ପଛରେ ରହୁଥିବାବେଳେ ସୁଖ ଖୋଜିବା ବୋକାମି।