ସୁରକ୍ଷା-ଶାନ୍ତି କେଉଁଠି ? ସୁରକ୍ଷା ପରିଷଦରେ ଜେଲେନସ୍କିଙ୍କ ପ୍ରଶ୍ନ…

ଜେନେଭା, ୬।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ  ଯୁଦ୍ଧ ଜାରି ରହିଛି। ଅପରପକ୍ଷରେ, କ୍ୱିଭ୍‌ର ବୁଚାଠାରେ ହୋଇଥିବା ହତ୍ୟାକାଣ୍ଡର ଫଟୋ ଏବେ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଛି। ବୁଚାରେ ୪୦୦ରୁ ଅଧିକ ମୃତଦେହ ମିଳିଛି ଏବଂ ଏପର୍ଯ୍ୟନ୍ତ ମୃତଦେହ ଉଦ୍ଧାର କରାଯାଉଛି। ଏହାର ଜବାବରେ ରାଷ୍ଟ୍ରପତି ଭୋଲଡମିୟର ଜେଲେନସ୍କି ରୁଷିଆର ସୈନିକମାନଙ୍କୁ ହତ୍ୟାକାରୀ ଏବଂ ବଳାତ୍କାରୀ ବୋଲି କହିଛନ୍ତି। ବୁଚା ପରେ ଏବେ ସୁମି ସହରର ନରସଂହାରର ଫଟୋ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ରେ ରୁଷିଆ ଆକ୍ରମଣ ପରେ ପ୍ରଥମ ଥର ପାଇଁ ସମ୍ବୋଧିତ କରିଛନ୍ତି।

ଏହି ସମୟ ମଧ୍ୟରେ ସେ ୟୁକ୍ରେନରେ ରୁଷିଅ ସୈନିକମାନଙ୍କ ବର୍ବରତାକୁ ବିଶ୍ୱ ସାମ୍ନାରେ ରଖିଛନ୍ତି। ଜେଲେନସ୍କି ଅଭିଯୋଗ କରିଛନ୍ତି ଯେ ରୁଷିଆର ସୈନିକମାନେ ୟୁକ୍ରେନରେ ନୀରସ୍ତ୍ର ଲୋକଙ୍କୁ ହତ୍ୟା କରିଛନ୍ତି। ଏହା ସହିତ ମହିଳାମାନଙ୍କୁ ବଳାତ୍କାର କରିଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି॥ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟତାରୁ ରୁଷିଆକୁ ହଟାଇବାକୁ ସେ ଦାବି କରିଛନ୍ତି।

ସେ ସଦସ୍ୟ ଦେଶମାନଙ୍କୁ ଏକ ରୁଷିଆ ସୈନ୍ୟଙ୍କ ବର୍ବରତାର ଏକ ଭିଡିଓ ଦେଖାଇବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ, କିନ୍ତୁ ବେଅଷୟିକ ତ୍ରୁଟି ଏହା ପ୍ରଦର୍ଶିତ ହୋଇପାରି ନଥିଲା ।

ଜେଲେନସ୍କି କହିଛନ୍ତି ଯେ ବୁଚା ସହରରେ ଲୋକଙ୍କ ହାତ ପଛରେ ବାନ୍ଧି ଗୁଳି କରାଯାଇଛି। ବହୁ ଲୋକଙ୍କୁ କୂଅରେ ଫିଙ୍ଗି ଦିଆଯାଇଥିଲା। ସେ କହିଛନ୍ତି ଯେ ରୁଷିଆ ସୈନ୍ୟଙ୍କ କାର୍ଯ୍ୟକଳାପ ଇସଲାମିକ ଷ୍ଟେଟ ଆତଙ୍କବାଦୀଙ୍କ ଭଳି। ସେ ଏହା ମଧ୍ୟ କହିଛନ୍ତି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୃଣା ଭାବନା ବୃଦ୍ଧି କରିବାକୁ ଚାହୁଁଛନ୍ତି।

ସେ ଏହା ସହିତ ସୁରକ୍ଷା ପରିଷଦକୁ ପ୍ରଶ୍ନ କରିଛନ୍ତି ଯେ, ପରିଷଦ ସୁରକ୍ଷା କଥା କହୁଥିବାବେଳେ ସୁରକ୍ଷା କାହିଁ ? ଶାନ୍ତି କେଉଁଠାରେ ଅଛି? ମିଳିତ ଜାତିସଂଘ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିଗୁଡିକ କେଉଁଠାରେ ଅଛି।

Share