କ୍ଷମା ମାଗିଲେ ଅସୁବିଧା କେଉଁଠି: ବାଚସ୍ପତି

ଭୁବନେଶ୍ୱର, ୧୫ା୩(ବ୍ୟୁରୋ):ବିଧାନସଭାରେ ଭାଜପା ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ ନେଇ ୨ ଦିନ ହେଲା ଗୃହରେ ହୋହଲ୍ଲା ଜାରି ରହିବା ସାଙ୍ଗକୁ ବାରମ୍ବାର ଗୃହ ମୁଲତବୀ ହେଉଛି। ପ୍ରଥମେ ବିରୋଧୀ ମଣ୍ଡିରୁ ଧାନ ନ ଉଠିବା ପ୍ରସଙ୍ଗ ନେଇ ବିରୋଧ ପ୍ରଦର୍ଶନ କରିବା ସମୟରେ ଏପରିସ୍ଥିତି ଉପୁଜିଥିଲା। ଏହାର ପରବର୍ତ୍ତୀ ସମୟରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ପଦକ୍ଷେପକୁ ଶାସକ ଦଳ ନିନ୍ଦା କରିଥିବା ବେଳେ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରି ଗୃହ କାର୍ଯ୍ୟ ଚଳାଇ ଦେଇ ନ ଥିଲେ। ତେବେ ଏହି ପ୍ରସଙ୍ଗରେ ରବିବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁହଁ ଖୋଲିଛନ୍ତି। ବାଚସ୍ପତି ପାତ୍ର କହିଛନ୍ତି, ବିଧାୟକ ପାଣିଗ୍ରାହୀ ବେଆଇନ କାମ କରିଛନ୍ତି। ସେ କ୍ଷମା ମାଗିଦେଲେ ଅସୁବିଧା କ’ଣ। ତାଙ୍କ ମତରେ ପାଣିଗ୍ରାହୀ ଭୁଲ୍‌ କରିଛନ୍ତି, ଗୃହକୁ ଠିକ୍‌ ଭାବେ ଚଳାଇବା ଲାଗି କ୍ଷମା ମାଗିଦେଲେ ଅସୁବିଧା କେଉଁଠାରେ ବୋଲି ପାତ୍ର କହିଛନ୍ତି। ଏଥିସହ ବାଚସ୍ପତିଙ୍କ ଏଭଳି ମତ ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି। ଅନ୍ୟପଟେ ବିଧାନସଭା ଭିତରେ ଆତ୍ମହତ୍ୟା ଉଦ୍ୟମ କରିବା ଠିକ୍‌ ହୋଇନାହିଁ ବୋଲି ସୁରେଶ କହିଛନ୍ତି। ଅନ୍ୟପଟେ ସୁବାସ କହିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରଥମେ କ୍ଷମା ମାଗନ୍ତୁ। ତାପରେ ମୁଁ କ୍ଷମା ମାଗିବେ, ଏଥିରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟର ମଣ୍ଡିରେ ଚାଷୀମାନେ ଧାନ ବିକ୍ରି କରିପାରୁ ନ ଥିବାରୁ ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭା ଗୃହ ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବିଧାୟକଙ୍କ ଏଭଳି କାର୍ଯ୍ୟ ଦେଖି ଭାଜପାର ଅନ୍ୟ ବିଧାୟକଙ୍କ ସମେତ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ତାଙ୍କ ନିକଟକୁ ଦୌଡି ଯାଇ ପାଣିଗ୍ରାହୀଙ୍କୁ ସେଥିରୁ ବାରଣ କରିଥିଲେ। ବିଧାୟକ ସାଲୁଜା ତାଙ୍କ ହାତରୁ ସାନିଟାଇଜର ଛଡାଇ ନେଇଥିଲେ।

Share