Categories: ଜାତୀୟ

ତୁମେ ଦୁନିଆର ଯେଉଁଠି ଥିଲେ ମଧ୍ୟ ଆମେ ତୁମର ସହାୟତା କରିବୁ: ବିଦେଶରେ ଥିବା ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା…

ହାଇଦ୍ରାବାଦ,୮।୨ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରଓ୍ବେନ୍ତ ରେଡ୍ଡୀ ବିଦେଶରେ ଭାରତୀୟ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏହି ପ୍ରସଙ୍ଗରେ ଧ୍ୟାନ ଦେବାକୁ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ନିବେଦନ କରିଛନ୍ତି। ବିଦେଶରେ ରହୁଥିବା ରାଜ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ସିଏମ ରେଡ୍ଡୀ ଏକ ହେଲ୍ପ ଡେସ୍କ ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ନିକଟରେ ଆମେରିକାର ସିକାଗୋରେ ହାଇଦ୍ରାବାଦର ଜଣେ ଭାରତୀୟ ଛାତ୍ର ସୟଦ ମଜହର ଅଲୀଙ୍କୁ ସାଂଘାତିକ ଆକ୍ରମଣ କରାଯାଇଥିଲା। ଚାରିଜଣ ଯୁବକ ସିକାଗୋରେ ମହଜରଙ୍କୁ ଲୁଟିବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କୁ ଆକ୍ରମଣ କରିଥିଲେ।

ସିଏମ ରେଡ୍ଡୀ କହିଛନ୍ତି, ’ହାଇଦ୍ରାବାଦର ଛାତ୍ର ସୟଦ ମଜହର ଅଲୀଙ୍କ ଉପରେ ହୋଇଥିବା ଆକ୍ରମଣ ଖବର ମୋତେ ଅତ୍ୟନ୍ତ ବିବ୍ରତ କରିଛି। ଏହା ପୂର୍ବରୁ ମଧ୍ୟ ଓହିଓରେ ଶ୍ରେୟସ ରେଡ୍ଡୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ବିଦେଶରେ ରହୁଥିବା ଭାରତୀୟ ଛାତ୍ରୀଛାତ୍ରମାନଙ୍କ ସୁରକ୍ଷାକୁ ନେଇ ମୁଁ ଏସ ଜୟଶଙ୍କରଙ୍କୁ ନିବେଦନ କରୁଛି। ଆମ ସରକାର ବିଦେଶରେ ରହୁଥିବା ଭାରତୀୟ ଛାତ୍ରୀଛାତ୍ରମାନଙ୍କ ପାଇଁ ଏକ ହେଲ୍ପ ଡେସ୍କ ଗଠନ କରିବେ ଯାହା ଦ୍ୱାରା ସେମାନେ ଆବଶ୍ୟକ ସମୟରେ ସାହାଯ୍ୟ ପାଇପାରିବେ। ମୁଁ ତେଲେଙ୍ଗାନାର ଲୋକଙ୍କୁ ଆଶ୍ୱାସନା ଦେଉଛି ଆପଣ ଦୁନିଆର କେଉଁଠାରେ ଥାଆନ୍ତୁ ନା କାହିଁକି, କଂଗ୍ରେସ ସରକାର ଆପଣଙ୍କୁ ସେଠାରେ ସାହାଯ୍ୟ କରିବେ।

ଆମେରିକାରେ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ଘଟଣାରେ ବୃଦ୍ଧି ଘଟିଛି। ଫେବୃଆରୀ ୬ ରେ ଆମେରିକାର ଇଣ୍ଡିଆନା ରାଜ୍ୟରେ ଜଣେ ଭାରତୀୟ ଛାତ୍ର ସମୀର କାମାଥଙ୍କ ମୃତଦେହ ମିଳିଥିଲା। ଏହି ବର୍ଷ, ଗତ ୩୮ ଦିନ ମଧ୍ୟରେ, ୭ ଜଣ ଭାରତୀୟ ଛାତ୍ରଙ୍କର ଆମେରିକାରେ ମୃତ୍ୟୁ ଘଟିଛିି। ଏହି ଘଟଣା ଆମେରିକାରେ ରହୁଥିବା ଭାରତୀୟ ଛାତ୍ରମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ଏବଂ ଭାରତରେ ରହୁଥିବା ସେମାନଙ୍କ ପରିବାର ମଧ୍ୟ ସେମାନଙ୍କ ପିଲାମାନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ଆମେରିକାରେ ୧୨ ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ୨୦୨୩ ମସିହାରେ ୩୦ ଜଣଙ୍କୁ ହତ୍ୟା କରାଯାଇଛି।

Share