କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ଏକ ମିନିଟ୍‌ରେ ଏପରି ଜାଣିପାରିବେ…

ସିଙ୍ଗାପୁର,୨୫।୫:  ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଏବେ ତାହା ମାତ୍ର ଏକ ମିନିଟ୍‌ ମଧ୍ୟରେ ସହଜରେ ଜଣାପଡ଼ିଯିବ। ସିଙ୍ଗାପୁର ବିଶ୍ୱବିଦ୍ୟାଳୟର ୩ ଜଣ ଗ୍ରାଜୁଏଟ୍‌ ଶିକ୍ଷାର୍ଥୀ ଏବଂ ଜଣେ ମୂଳ ଭାରତୀୟ ପ୍ରଫେସର ଟି. ଭେଙ୍କେୟା ଭେଙ୍କଟେସାନ୍‌ଙ୍କ ମିଳିତ ଉଦ୍ୟମରେ ଏକ ବ୍ରେଥ୍‌ ଟେଷ୍ଟ୍‌ ସିଷ୍ଟମ ଉପକରଣ ତିଆରି କରିଛନ୍ତି। ଏହାକୁ ତିଆରି କରିବା ଲାଗି ବ୍ରେଥୋନିକ୍ସ୍‌ ନାମକ ଏକ ଷ୍ଟାର୍ଟ ଅପ୍‌ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି। ଏହି ଉପକରଣରେ କରୋନା ଟେଷ୍ଟ୍‌ ପାଇଁ ଫୁଙ୍କିବାକୁ ପଡ଼ିବ। ଏହାଦ୍ୱାରା ନିଶ୍ୱାସରେ ଥିବା କଣିକା ମେସିନ୍‌ ମଧ୍ୟରେ ପ୍ରବେଶ କରିଥାଏ। କଣିକା ମଧ୍ୟରେ କରୋନା ଭୂତାଣୁ ଥିଲେ ଏହା ସହଜରେ ଜଣାପଡ଼ିଥାଏ। ଏହାଦ୍ୱାରା ୯୩ ପ୍ରତିଶତ ସଫଳତାର ସହିତ କରୋନା ଟେଷ୍ଟ୍‌ କରାଯାଇ ପାରୁଥିବା ପ୍ରଫେସର ଭେଙ୍କଟେସାନ୍‌ କହିଛନ୍ତି। ଏହି ଉପକରଣକୁ କରୋନା ଟେଷ୍ଟ୍‌ ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଭାବେ ଅନୁମତି ମିଳିଛି।

Share