କେଉଁ ଦଳକୁ ଯିବେ ସୌମ୍ୟରଞ୍ଜନ, ଆସିଲା ବଡ଼ ପ୍ରତିକ୍ରିୟା

ଭୁବନେଶ୍ୱର,୨୮।୪: ପୂର୍ବତନ ଖଣ୍ଡପଡା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁଥିରେ ସେ କେଉଁ ଦଳକୁ ଯିବେ ଓ କେଉଁଠୁ ଲଢିବେ ଏନେଇ ସ୍ପଷ୍ଟ କରିଛନ୍ତି। ନିକଟରେ ସେ ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ଖୁବ୍‌ ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଇଥିଲା। ଯାହାର ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସୌମ୍ୟ।

ଗତ ବର୍ଷ ସେପ୍ଟେମ୍ବର ମାସରେ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହୋଇଥିଲେ ସୌମ୍ୟ ପଟ୍ଟନାୟକ । ଏହାପରେ ଆଗାମୀ ରାଜନୈତିକ ଯୋଜନା ବିଷୟରେ ସେ ଚିନ୍ତା କରୁଥିବା କଥା କହିଥିଲେ । ବିଜେଡିରୁ ନିଲମ୍ବିତ ହେବା ପରେ ତାଙ୍କ ରାଜନୈତିକ କ୍ୟାରିୟର ଶେଷ ହୋଇ ନ ଥିବା କହିଥିଲେ ସୌମ୍ୟ । ସେ କହିଥିଲେ, ‘ବର୍ତ୍ତମାନ ମୁଁ କୌଣସି ଦଳରେ ନାହିଁ । ରାଜନୀତି କେବଳ କୌଣସି ଦଳରେ ରହି ନିର୍ବାଚନ ଲଢ଼ିବା ନୁହେଁ । ମୁଁ ଅନ୍ୟ ଉପାୟରେ ରାଜନୀତିକୁ ବ୍ୟବହାର କରି ଲୋକଙ୍କ ସେବା କରି ପାରିବି’ ।

ବର୍ତ୍ତମାନ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସେ କେଉଁ ଦଳରୁ ଲଢିବେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ‘ମୋର ଏବେ କୌଣସି ଦଳ ନାହିଁ। ମୁଁ ନିର୍ବାଚନ ଲଢିବି କି ନାହିଁ ସେକଥା ଜାଣିନି। କିନ୍ତୁ ଖଣ୍ଡପଡାବାସୀ ସବୁବେଳେ ମୋ ହୃଦୟରେ ରହିବେ’।