କେଉଁ ରାଜ୍ୟରେ କେବେ ତୃତୀୟ ଲହର ଶୀର୍ଷ ଛୁଇଁବ, ଆଇଆଇଟି ପ୍ରଫେସର ଦେଲେ ସୂଚନା…

ନୂଆଦିଲ୍ଲୀ, ୧୯।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଇଆଇଟି ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଦେଶର ତୃତୀୟ ଲହର ସମ୍ବନ୍ଧୀୟ ନୂତନ ଅଧ୍ୟୟନର ଫଳାଫଳ ପ୍ରକାଶ କରିଛନ୍ତି। ତୃତୀୟ ଲହର ସମୟରେ ଦୈନିକ ଚାରି ଲକ୍ଷରୁ ଅଧିକ ମାମଲା ରିପୋର୍ଟ ହେବାର ଆଶଙ୍କା ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଅଧ୍ୟୟନ ଦାବି କରାଯାଇଛି ଯେ ତୃତୀୟ ଶୀର୍ଷ ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ ଆସି ସାରିଛି।

ତେବେ ଦେଶରେ ତୃତୀୟ ଲହର ୨୩ ଜାନୁଆରୀରେ ଶୀର୍ଷରେ ପହଞ୍ଚିପାରେ। କୋଭିଡ ଟ୍ରାକରର ସୂତ୍ର ମଡେଲ ଆଧାରରେ ଏହି ଅଧ୍ୟୟନ କରାଯାଇଛି। ଏହା ଅନୁଯାୟୀ, ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀ ଏବଂ ମୁମ୍ବାଇ ତୃତୀୟ ଲହର ଶୀର୍ଷରେ ପହଞ୍ଚିଛି।

ତାଙ୍କ କହିବାନୁସାରେ, ସାରା ଦେଶରେ କରୋନାର ଗତିପଥ ବଦଳି ଯାଇଛି। ଏହାର ଦୁଇଟି କାରଣ ହୋଇପାରେ। ଗୋଟିଏ ହେଉଛି ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ମଧ୍ୟରେ ଓମିକ୍ରନର ସଂକ୍ରମଣ ମନ୍ଥର ହୋଇଛି ଏବଂ ଦ୍ୱିତୀୟରେ ଏହା ସମ୍ଭାବ୍ୟ ଗୋଷ୍ଠୀ ସଂକ୍ରମଣ ସୃଷ୍ଟି କରିଛି।

ଅଧ୍ୟୟନରେ ପ୍ରକାଶିତ ହୋଇଛି ଯେ, ଜାନୁୟାରୀ ୧୧ ପର୍ଯ୍ୟନ୍ତ ତଥ୍ୟ ସୂଚାଇ ଦେଉଛି ଯେ ଜାନୁୟାରୀ ୨୩ ସୁଦ୍ଧା ଦେଶରେ ତୃତୀୟ ଲହର ଶୀର୍ଷ ଛୁଇଁବାର ଆଶଙ୍କା ରହିଛି। ଫଳରେ ଏହି ସମୟରେ ଦୈନିକ ପ୍ରାୟ ୭.୨ ଲକ୍ଷ ମାମଲା ମିଳିପାରେ। କିନ୍ତୁ ସଂକ୍ରମଣର ପ୍ରକୃତ ପଥ ଯଥେଷ୍ଟ ପରିବର୍ତ୍ତନ ହୋଇସାରିଛି, ତେଣୁ ପ୍ରକୃତ ଶୀର୍ଷ ସମୟରେ ଦୈନିକ ୪ ଲକ୍ଷ ମାମଲା ଆସିବାର ଆଶଙ୍କା ନାହିଁ ।

ଦିଲ୍ଲୀର ଅଧିକାରୀମାନେ ସୂଚାଇ ଦେଉଛନ୍ତି ଯେ ସେଠାରେ ଦୈନିକ ନୂତନ ମାମଲା ସଂଖ୍ୟା ସ୍ଥିର ହୋଇଥିବାରୁ ଶୀର୍ଷ ପହଞ୍ଚି ସାରିଛି। ମଙ୍ଗଳବାର ଦିଲ୍ଲୀରେ ୧୧, ୬୮୪ ମାମଲା ଥିବାବେଳେ ସୋମବାର ୧୨,୫୨୭ ମାମଲା ଚିହ୍ନଟ ହୋଇଥିଲା। ଜାନୁଆରୀ ୧୩ ରେ, ଏହି ଲହରରେ ସର୍ବାଧିକ ୨୮,୮୬୭ ମାମଲା ଦିଲ୍ଲୀରେ ଦେଖିବାକୁ ମିଳିଥିଲା। ଗୋଟିଏ ଦିନରେ ଏହା ସର୍ବାଧିକ ବୃଦ୍ଧି ଘଟିଥିଲା।

କେଉଁ ରାଜ୍ୟରେ କେବେ ତୃତୀୟ ଲହର ଶୀର୍ଷ ଛୁଇଁବ ଅବା ଛୁଇଁ ସାରିଛି ସେ ନେଇ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆସାମରେ ୨୬ ଜାନୁଆରୀ, ଉତ୍ତରପ୍ରଦେଶରେ ୧୯ ଜାନୁଆରୀ, ହରିୟାଣାରେ ୨୦ ଜାନୁଆରୀ, ଗୁଜୁରାଟରେ ୧୯ ଜାନୁଆରୀ, ମହାରାଷ୍ଟ୍ରରେ୧୯ ଜାନୁଆରୀ, କର୍ଣ୍ଣାଟକରେ ୨୩ ଜାନୁଆରୀ, ଆନ୍ଧ୍ରପ୍ରଦେଶରେ ୩୦ ଜାନୁଆରୀ, ତାମିଲନାଡୁରେ ୨୫ ଜାନୁଆରୀ, ବେଙ୍ଗାଲୁରୁରେ ୨୨ ଜାନୁଆରୀ ତୃତୀୟ ଲହର ଶୀର୍ଷ ଛୁଇଁବ ବୋଲି ରିପୋର୍ଟରେ ପ୍ରକାଶିତ ହୋଇଛି।

ଅପରପକ୍ଷରେ ରହିଛି କୋଲକାତାରେ ୧୩ ଜାନୁଆରୀ, ଦିଲ୍ଲୀରେ ୧୬ ଜାନୁଆରୀ , ମୁମ୍ବାଇରେ ଜାନୁଆରୀ ୧୨, ବିହାରରେ ୧୭ ଜାନୁଆରୀ ଲହରର ଶୀର୍ଷ ଆସି ସାରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share