ରକୁଲ ଯାହା ଖୋଜୁଥିଲେ..

ରକୁଲ୍‌ ପ୍ରୀତ ସିଂ ଯାହା ଖୋଜୁଥିଲେ ତାହା ତାଙ୍କୁ ଏତେ ସହଜରେ ମିଳିଯିବ-ଏ କଥାକୁ ସେ ବିଶ୍ୱାସ କରିପାରୁନାହାନ୍ତି। କଥା କ’ଣ କି ସେ ଏବେ ଆକ୍ସନ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ମନ ବଳାଇଛନ୍ତି। ତେଣୁ ଏ ନେଇ କିଛି ଜ୍ଞାନ ରହିବା ନିହାତି ଦରକାର। ବିଲେଇ କପାଳକୁ ଶିକା ଛିଣ୍ଡିଲା ପରି ସେ ଅଭିନୟ କରୁଥିବା ‘ଥ୍ୟାଙ୍କ୍‌ ଗଡ୍‌’ ଫିଲ୍ମରେ ତାଙ୍କ ମନୋସ୍କାମନା ପୂରଣ ହୋଇଛି। ଅର୍ଥାତ୍‌ ସେ ଖୋଜୁଥିବା ଆକ୍ସନ ଗୁରୁ ତାଙ୍କୁ ମିଳିଯାଇଛି। ଏହି ଫିଲ୍ମରେ ତାଙ୍କ ବ୍ୟତୀତ ଅଜୟ ଦେବଗନ ଏବଂ ସିଦ୍ଧାର୍ଥ ମାଲହୋତ୍ରା ମଧ୍ୟ ଅଭିନୟ କରୁଛନ୍ତି। ଏକଦା ଶୁଟିଂ ବ୍ରେକ୍‌ ସମୟରେ ସେ ନିଜର ମନ କଥା ଅଜୟଙ୍କୁ କହିଥିଲେ। ଆଉ ତା’ପରେ ଅଜୟ ଏ ନେଇ ଟିପ୍ସ ଦେବାକୁ ରାଜି ହେବା ପରେ ରକୁଲ୍‌ଙ୍କ ଖୁସି ଦେଖେ କିଏ। ‘ଅଜୟଙ୍କୁ ଏ କଥା କହିବା ପରେ ସେ ମୋତେ ଏଥିପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି। କେବଳ ସେତିକି ନୁହେଁ, ଜଣେ ଭଲ ଆକ୍ସନ ଟ୍ରେନର ଆରେଞ୍ଜ କରିଦେବାକୁ ସେ ମୋତେ କଥା ଦେଇଛନ୍ତି। କାରଣ ଏଭଳି ଏକ ସିନେମାର ଅଭିନୟ କରିବାର ଚାନ୍ସ ରହିଛି। ତେଣୁ ତା’ ପୂର୍ବରୁ ମୋତେ ଏ ନେଇ ପ୍ରସ୍ତୁତ ହେବାକୁ ପଡ଼ିବ।’ ତେବେ ଏଭଳି ଭୂମିକାରେ ରକୁଲ୍‌ ଦର୍ଶକଙ୍କୁ କେତେ ପ୍ରଭାବିତ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Share