ନଦୀ ପାର୍‌ ହେଉଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ବୃଦ୍ଧ, ଆଜି ମିଳିଲା ମୃତଦେହ

ତୁମୁଡ଼ିବନ୍ଧ,୨୨ା୯(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର କାଣ୍ଡାମ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ନଦୀରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବା ରବିବାର ଜଣାପଡ଼ିଛି। ମୃତକ ହେଲେ ପୁରେଶ୍ୱର ମାଝି(୬୫)।
ମିଳିଥିବା ସୂଚନାନୁଯାୟୀ, କାଣ୍ଡାମ ଗ୍ରାମର ପୁରେଶ୍ୱର ଶନିବାର ସକାଳେ ଧୁଙ୍ଗିଆ ପଙ୍କାଳ ଗ୍ରାମରେ ହେଉଥିବା ସାପ୍ତାହିକ ହାଟକୁ ରାଉଳ ନଦୀ ପାର ହୋଇ ଆବଶ୍ୟକ ଜିନିଷପତ୍ର କିଣି ଅପରାହ୍ନରେ ଘରକୁ ଫେରୁଥିଲେ। ସେ ରାଉଳ ନଦୀର ଡଙ୍ଗା ଘାଟ ପାର୍‌ ହେଉ ଥିବା ସମୟରେ ହଠାତ୍‌ ବଢ଼ିପାଣିର ପ୍ରଖର ସ୍ରୋତ ଆସିବାରୁ ଭାସିଯାଇ ଥିଲେ। ସେହି ସମୟରେ ଘାଟରେ କେହି ମଧ୍ୟ ଲୋକ ନ ଥିଲେ ଉଦ୍ଧାର କରିବା ପାଇଁ। ସନ୍ଧ୍ୟା ହେବାରୁ ପରିବାର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି କରିପାଇଲେ ନାହିଁ। ଆଜି ସକାଳୁ ପୁଣି ଖୋଜାଖୋଜି କରିବା ପରେ ସେହି ଡଙ୍ଗାଘାଟର ପ୍ରାୟ ଅଧା କିମି ଦୂର ତଳର ବଡ଼ ପଥର ଓ ଗଛ ଥିବାଠାରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ତୁମୁଡିବନ୍ଧ ପୋଲିସ ଓ ଅଗ୍ନିଶମ ବିଭାଗକୁ ତୁରନ୍ତ ଖବର ଦେଇଥିଲେ। ଘଟଣାସ୍ଥଳରେ ଦୁଇ ବିଭାଗ ପହଞ୍ଚି ଥିଲେ। ତୁମୁଡିବନ୍ଧ ଅଗ୍ନିଶମ ବିଭାଗର ଓ. ଆଇ. ସି.ସର୍ବେଶ୍ୱର ପାତ୍ର, ଡ୍ରାଇଭର ଅରବିନ୍ଦ ପାତ୍ର, ଆଗ୍ନିକ ଅମୀୟ ରଞ୍ଜନ ସୁନା ଓ ଶିଶିର ଜେନା ନଦୀ ଭିତରକୁ ଯାଇ ମୃତଦେହ ଉଦ୍ଧାର କରି ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ନେଇଛନ୍ତି।