ମାଛଧରିବା ବେଳେ ଆକାଶରୁ ଜାଲରେ ପଡ଼ିଲା ଯନ୍ତ୍ରଚାଳିତ ରକେଟ୍‌

ବାହାନଗା,୧୮।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରେମୁଣା ବ୍ଲକ ଗୋପାଳପୁର ଫାଣ୍ଡି ଅଧୀନସ୍ଥ ତାଳପଦା ଗ୍ରାମର ମତ୍ସ୍ୟଜୀବୀଙ୍କ ଜାଲରେ ଏକ ଯନ୍ତ୍ରଚାଳିତ ରକେଟ୍‌ ପଡ଼ିଥିବା ଜଣାପଡ଼ିଛି। ସୋମବାର ସକାଳେ ତାଳପଦା ଗ୍ରାମର ରଘୁନାଥ ଦାସ ଯନ୍ତ୍ରଚାଳିତ ଭୂଟୁଭୂଟି (ଡଙ୍ଗା) ସହ ଅନ୍ୟ ୭ ଜଣ ମସ୍ୟଜୀବୀଙ୍କୁ ଧରି ଜାମୁକା ମୁହାଣରୁ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ। ସମୁଦ୍ରରେ ଜାଲ ପକାଇ ଯାଉଥିବା ବେଳେ ଅପରାହ୍ନରେ ହଠାତ ଆକାଶରେ ଏକ ରକେଟ୍‌ ଉଡ଼ୁଥିବା ଦେଖିବାକୁ ପାଇଲେ। ପରେ ରକେଟ୍‌ରେ ନିଆଁ ବାହାରିବା ସହିତ ଏହା ସେମାନଙ୍କ ଜାଲରେ ପଡ଼ିଥିଲା। ସେମାନେ ତାହାକୁ ଟାଣି ଟାଣି କୂଲକୁ ଆଣିଥିଲେ। ପରେ ମତ୍ସ୍ୟଜୀବୀମାନେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ ଓ ଡିଆରଡିଏ ଏବଂ ଆଇଟିଆର ପକ୍ଷରୁ ତାଳପଦା ଗ୍ରାମର ମତ୍ସ୍ୟଜୀବୀ ରଘୁନାଥଙ୍କ ଘରେ ପହଞ୍ଚି ଉଦ୍ଧାର ରକେଟ୍‌ଟିକୁ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିକୁ ନେଇଯାଇଥିଲେ।
ବିଶେଷସୂତ୍ରରୂ ଜଣାପଡିଛି ଯେ, ପରୀକ୍ଷଣ ସମୟରେ ଯାନ୍ତ୍ରୀକ ତୃଟି ଲାଗି ଏଥିରେ ନିଆଁ ଲାଗି ସମୁଦ୍ର ମଧ୍ୟରେ ପଡ଼ିଯାଇଥିଲା।