ମାଛ ଧରୁଥିବାବେଳେ ସ୍ତ୍ରୀ ସମ୍ମୁଖରେ ବୁଡ଼ିଗଲେ ସ୍ବାମୀ

ମହାକାଳପଡ଼ା,୨୦ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଶୁକ୍ରବାର ମହାନଦୀର ବନ୍ତନାଶିଠାରେ ମାଛ ଧରୁଥିବା ବେଳେ ଜଣେ ଯୁବକ ବୁଡିଯାଇଛନ୍ତି। ସ୍ତ୍ରୀ ଓ ଶାଳକଙ୍କ ଆଖି ସମ୍ମୁଖରେ ଏହି ଘଟଣା ଶୁକ୍ରବାର ମଧ୍ୟାହ୍ନରେ ଘଟିଛି। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ହେଲେ ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନିଖୋଜ ଯୁବକଙ୍କୁ ଉଦ୍ଧାର କରାଯାଇପାରିନାହିଁ। ନିଖୋଜ ଯୁବକଙ୍କ ନାମ ପିଣ୍ଟୁ ଦାସ। ସେ ଜଣେ ମତ୍ସ୍ୟଜୀବି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହାକୁ ନେଇ ମହାକାଳପଡ଼ା ବ୍ଲକ୍‌ ଅଞ୍ଚଳରେ ଶୋକର ଛାୟା ଖୋଳିଯାଇଛି।
ସାମୁଦ୍ରିକ ଜୁଆର ପ୍ରଭାବ ଥିବାରୁ ମହାନଦୀରେ ଭଲ ମାଛ ପଡୁଥିବା ଶୁଣି ପିଣ୍ଟୁ ଦାସ ସ୍ତ୍ରୀ ଓ ଶାଳକଙ୍କ ସହ ମିଶି ଶୁକ୍ରବାର ମଧ୍ୟାହ୍ନରେ ମହାନଦୀକୁ ମାଛ ଧରିବା ପାଇଁ ଯାଇଥିଲେ। ମହାନଦୀରେ ଭଉଁରୀ ଜାଲ ପକାଇ ମାଛ ଧରୁଥିବା ବେଳେ ସେ ଗଭୀର ଜଳକୁ ଚାଲିଯାଇଥିଲେ। ପ୍ରଖର ସ୍ରୋତ ଥିବାରୁ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ଗଭୀର ଜଳରେ ବୁଡି ନିଖୋଜ ହୋଇଯାଇ ଥିଲେ। ସ୍ତ୍ରୀ ଓ ଶାଳକଙ୍କ ଆଖି ଆଗରେ ଏହି ଘଟଣା ଘଟିଥିଲେ ମଧ୍ୟ ସେମାନେ ପିଣ୍ଟୁଙ୍କୁ ରକ୍ଷା କରି ପାରି ନ ଥିଲେ। ଖବର ପାଇ ପୋଲିସ ଓ ମହାକାଳପଡ଼ା ଅଗ୍ନିଶମ ବାହିନୀ ପହଞ୍ଚତ୍ ବୋଟ୍‌ ସାହାର୍ଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ସନ୍ଧ୍ୟାସୁଦ୍ଧା ପିଣ୍ଟୁଙ୍କୁ ଉଦ୍ଧାର କରାଯାଇପାରି ନ ଥିଲା। ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତଦାରଖ କରିଥିଲେ। ଆବଶ୍ୟକ ପଡିଲେ ଯାଜପୁର ଜିଲା ଡ଼ୁବୁରୀସ୍ଥିତ ଓଡ୍ରାଏଫ୍‌ ଟିମ୍‌କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ତହସିଲଦାର କହିଛନ୍ତି। ସୂଚନା ଅନୁଯାୟୀ, ନିଖୋଜ ପିଣ୍ଟୁ ଦାସଙ୍କ ପୈତୃକ ଘର ଭଦ୍ରକ ଜିଲା ବଡ଼ହାଟ ତ୍ରିଲୋଚନପୁରରେ। ସେ ମହାକାଳପଡ଼ା ନିକଟ ବାହାକୁଦ ଗ୍ରାମର ମୁସଲିମ ଝିଅ ହସିନା ଖାତୁନଙ୍କୁ ବିବାହ କରି ରହୁଥିଲେ। ପ୍ରଖର ସ୍ରୋତ ଯୋଗୁ ମହାନଦୀରେ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି ବୋଲି ପ୍ରାକ୍ତନ ସରପଞ୍ଚ ବିକାଶ ଚନ୍ଦ୍ର ଦେବନାଥ କହିଛନ୍ତି।