Categories: ରାଜ୍ୟ

ଜନ୍ମଦିନ ଭୋଜି ଖାଇ ଫେରିବା ବେଳେ ଟ୍ରାକ୍ଟରକୁ ଧକ୍କା ଦେଲା କାର୍‌, ୪ ସାଙ୍ଗ ମୃତ

ଖଡ଼ିଆଲ,୧୭ା୬(ମକାରୁ ବେମାଲ): ଭବାନୀପାଟଣା ଲଛିପୁର ଛକ ୧୬ ନମ୍ବର ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଚାରି ଜଣ ପ୍ରାଣ ହରାଇଛନ୍ତି। ଟ୍ରାକ୍ଟରକୁ କାର୍‌ ଧକ୍କା ଦେବା ପରେ ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ମୃତକମାନେ ହେଉଛନ୍ତି ଖଡ଼ିଆଳ ସହରର ଋଷି ସାହୁ, ଶୁଭମ ମହାଉତି, ବଣ୍ଟି ଲାଲ ସିଂହ ଓ ଗୋଇମୁଣ୍ଡା ଗ୍ରାମର ଦେବରାଜ ପଟେଲେ। ଗତ ରାତିରେ ଏହି ୪ ସାଙ୍ଗ କାର ଯୋଗେ ତୁକୁଳା ଗାଁକୁ ଏକ ଜନ୍ମଦିନ ଭୋଜି ଖାଇବାକୁ ଯାଇଥିଲେ।

ତେବେ ରାତି ପ୍ରାୟ ୧୨ଟା ବେଳେ ସେମାନେ ଖଡ଼ିଆଳ ଅଭିମୁଖେ ଫେରୁଥିବା ବେଳେ ଲଛିପୁର ଗାଁ ନିକଟରେ ଏକ ଟ୍ରାକ୍ଟର ସହିତ ସେମାନଙ୍କର ଧକ୍କା ହୋଇଥିଲା। ଏହା ପରେ ପରେ ସେହି ରାସ୍ତା ଦେଇ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍ ସେମାନଙ୍କ କାରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ବନ୍ଧୁ ଜୀବନ ହରାଇଛନ୍ତି।

ଅପରପକ୍ଷେ ଟ୍ରାକ୍ଟରରେ ଯାଉଥିବା ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଭଲ ନଥିବା ଜଣାପଡ଼ିଛି। ଟ୍ରାକ୍ଟରର ଡାଲାର ଦୁଇ ପଛ ଚକ ବାହାରି ଯାଇଥିବା ବେଳେ କାରଟି ଚୁରମାର ହୋଇଯାଇଛି। ଘଟଣାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

Share