ସାଇକେଲରେ ଘରକୁ ଫେରୁଥିଲେ, ଦଳିଦେଲା ବଣୁଆ ହାତୀ

କୁଆଁରମୁଣ୍ଡା,୨୧।୭(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ ଜିଲା ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ରେଞ୍ଜ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କଚାରୁ ବନାଞ୍ଚଳର ରାମପୁର ନିକଟରେ ଏକ ବଣୁଆ ହାତୀ ଜଣେ ଯୁବକଙ୍କୁ ଶୁଣ୍ଢରେ ଟେକି କଚାଡି ପାଦରେ ଦଳି ମାରିଦେଇଛି। ମୃତ ଯୁବକ ହେଉଛନ୍ତି ରାମପୁର ଗ୍ରାମର ଦେଓସାଗର ସିଂ(୪୦)। ଖବର ପାଇ କୁଆଁରମୁଣ୍ଡା ରେଞ୍ଜର ପଞ୍ଚ ନାରାୟଣ ସରାଫ, ନିକଟସ୍ଥ ବାନପାଳ ଓ ବନରକ୍ଷୀ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। କୁଆଁରମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଛି।
ଶନିବାର ରାତ୍ର ପ୍ରାୟ ସାଢ଼େ ୮ଟା ବେଳେ ଉକ୍ତ ହାତୀ ବିଶ୍ରା ଜଙ୍ଗଲରୁ ବାହାରି କୋଏଲ ନଦୀ ପାରି ହୋଇ କଚାରୁ ବନାଞ୍ଚଳରେ ପଶିଥିଲା। ଏହି ସମୟରେ ରାମପୁର ନିକଟରେ ମୃତ ଦେଓସାଗର ଏକ ସାଇକେଲରେ ଘରକୁ ଫେରୁଥିବା ବେଳେ ଉକ୍ତ ଦନ୍ତା ହାତୀ ତାଙ୍କୁ ଶୁଣ୍ଢରେ ପିଟି ପାଦରେ ଦଳି ମାରିଦେଇଥିଲା।