ଶୋଇଥିବା ବେଳେ ସାଙ୍ଗଙ୍କୁ ଟାଙ୍ଗିଆରେ ହାଣିଦେଲେ

ଝାରସୁଗୁଡ଼ା ଅଫିସ,୮।୪: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ରାମପୁର ବିନାସୀପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇ ମାରପିଟ ହୋଇଥିଲା। ପରେ ଜଣେ ସାଙ୍ଗ ପ୍ରତିଶୋଧ ପରାୟଣ ହୋଇ ସାଙ୍ଗଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଥିବା ବନ୍ଧୁ ଜଣଙ୍କ ହେଲେ ରାମପୁର ବିନାସୀପଡ଼ାର ସଞ୍ଜୀବ କୁମାର ମାଛଖଣ୍ଡେ ଓରଫ ମୋଟୁ(୪୫)।

ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ବ୍ରଜରାଜନଗର ଥାନା ପୋଲିସ ଏକ ହତ୍ୟା ମାମଲା(ନଂ.୯୭/୨୨) ରୁଜୁକରି ତଦନ୍ତ ଚଳାଇଛି। ଅଭିଯୁକ୍ତ ଡମ୍ବରୁ ଦାସ ଫେରାର ହୋଇଯାଇଥିବା ଜଣାପଡିଛି।

ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଖାନତଲାସୀ ଜାରି ରଖିଛି । ଖବରପାଇ ଏସ୍‌ଡିପିଓ ଗୁପ୍ତେଶର ଭୋଇ, ଆଇଆଇସି ବୈକୁଣ୍ଠ ବିହାରୀ ସେଠ ଓ ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ଦଳାଇ ପ୍ରମୁଖ ପୋଲିସ ଅଧିକାରୀମାନେ ସାଇଣ୍ଟିଫିକ ଦଳ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ସଞ୍ଜୀବ ଏବଂ ଡମ୍ବରୁ ଦୁଇ ବନ୍ଧୁ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଥିଲା।

ଏଭଳି ସ୍ଥିତିରେ ଗୁରୁବାର ରାତିରେ ସଞ୍ଜୀବ ମଦପିଇ ପଡାରେ ପାଟିତୁଣ୍ଡ କରୁଥିଲେ। ଏହା ଦେଖି ଡମ୍ବରୁ ସଞ୍ଜୀବଙ୍କୁ ବାରଣ କରିଥିଲେ। ଏଥିରେ ସଞ୍ଜୀବ ଉତ୍‌କ୍ଷୀପ୍ତ ହୋଇ ଏକ ଇଟାରେ ଡମ୍ବରୁଙ୍କୁ ଆକ୍ରମଣ କରିଥିଲେ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଡମ୍ବରୁ ପାଚେରୀ ଡେଇଁ ଘରେ ଶୋଇଥିବା ବେଳେ ସଞ୍ଜୀବଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲେ। ପରିବାର ଲୋକେ ସଞ୍ଜୀବଙ୍କୁ ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share