ଆସ୍ପର୍ଗିଲୋସିସ୍
ଏହି ଫଙ୍ଗସ୍ ସର୍ବତ୍ର ଦେଖାଦିଏ। ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ, ଫୁସ୍ଫୁସ୍ ରୋଗ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଫଙ୍ଗାଲ୍ ସ୍ପୋର ନିଃଶ୍ୱାସବାଟେ ଶରୀରରେ ପ୍ରବେଶ କରେ। କମ୍ପୋଷ୍ଟ ଗଦା, ଗଚ୍ଛିତ ଶସ୍ୟ, ଅପରିଷ୍କାର ଜଳ, ପଚିଯାଉଥିବା ପତ୍ର, ଫୁଲ ଏବଂ ପନିପରିବାରେ ଏହି ଫଙ୍ଗସ୍ ରହିଥାଏ। ଅମ୍ଳଜାନ ସିଲିଣ୍ଡରରେ ବ୍ୟବହୃତ ହେଉଥିବା ଅପରିଷ୍କାର ପାଣି ଯୋଗୁ ମଧ୍ୟ ଏହି ସଂକ୍ରମଣର ଆଶଙ୍କା ଦେଖାଦିଏ।
ଶ୍ୱାସ ପ୍ରକ୍ରିୟାରେ ପ୍ରବେଶ କଲା ପରେ ଫଙ୍ଗଲ ସ୍କୋର ଏକ ଆଲର୍ଜିକ ଫୁସ୍ଫୁସ୍ ସମସ୍ୟା ସୃଷ୍ଟି କରିଥାଏ। ଏହାର ଲକ୍ଷଣ ହେଲା ଜ୍ୱର, କାଶ, କଫ, ରକ୍ତଜଡ଼ିତ କଫ, ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ, ଆଜ୍ମା ଲକ୍ଷଣର ଅବନତି, ଥକ୍କାପଣ ଓ ଓଜନ ହ୍ରାସ ।
ପ୍ରତିରୋଧ : ଠିକ୍ ରକ୍ତ ଶର୍କରା ନିୟନ୍ତ୍ରଣ, ଆବଶ୍ୟକତା ପୂର୍ବକ ଷ୍ଟେରଏଡ୍ ଆଣ୍ଟିବାୟୋଟିକ୍ ବ୍ୟବହାର, ଅମ୍ଳଜାନ ଚିକିତ୍ସାରେ ବିଶୁଦ୍ଧ ଜଳ ବ୍ୟବହାର କରିବା ଉଚିତ। ବହୁ ସମୟ ଧରି ଆର୍ଦ୍ରତାଠାରୁ ଦୂରେଇ ରହିବା ସହ ନିର୍ମାଣ ସ୍ଥାନ, କମ୍ପୋଷ୍ଟ ଗଦା ଏବଂ ଶସ୍ୟ ସଂରକ୍ଷଣ କରୁଥିବା ଗୃହଠାରୁ ଦୂରେଇ ରହିବା ଆବଶ୍ୟକ। ଏହି ସବୁ ଜାଗାକୁ ଆବଶ୍ୟକ କ୍ଷେତ୍ରରେ ଗଲେ ମାସ୍କ, ଫେସ୍ ଶିଲ୍ଡ, ଗ୍ଲୋଭସ ପିନ୍ଧି ଯାଆନ୍ତୁ। କଫର ଫଙ୍ଗାଲ ଷ୍ଟେନ୍ (KOH) କଲଚର, ଆଲର୍ଜି ତଥା ଆଣ୍ଟିବଡି ଚିହ୍ନଟ ପାଇଁ ଚର୍ମ ତଥା ରକ୍ତ ପରୀକ୍ଷା, ଛାତିର ଏକ୍ସ-ରେ, ସିଟି ସ୍କାନ୍, ଟିସୁର ବାୟୋପ୍ସି ଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ। ଶ୍ୱାସକ୍ର୍ରିୟା, ପାକସ୍ଥଳୀ ଏବଂ ଅନ୍ତଃନଳୀରେ ରୋଗ ନିର୍ଣ୍ଣୟ କରିବା ପାଇଁ ଏଣ୍ଡୋସ୍କୋପି ଆବଶ୍ୟକ ହୋଇଥାଏ।
ଚିକିତ୍ସା
କ୍ୟାଣ୍ଡିଡ୍ ଆସିସ୍: କ୍ଲୋଟ୍ରିମାଜୋଲ୍, ନିଷ୍ଟାଟିନ୍, ପ୍ଲକୋନାଜୋଲ୍, ଭୋରିକୋନାଜୋଲ୍ ପରି ଆଣ୍ଟିଫଙ୍ଗାଲ ବଟିକା ରୂପେ ଦିଆଯାଏ। ଶରୀରରେ ବ୍ୟାପକ ରୂପେ ସଂପ୍ରସାରିତ ହୋଇଥିବା ଇନ୍ଫେକ୍ସନ୍ ନିୟନ୍ତ୍ରଣ ପାଇଁ ଧମନୀ ଦ୍ୱାରା ଆମ୍ପୋଟେରିସିନ୍-ବି, କ୍ୟାପ୍ସୋଫୁଙ୍ଗିନ୍ ଆବଶ୍ୟକ ହୋଇଥାଏ।
ଆସ୍ପର୍ଗିଲୋସିସ୍: ସରଳ ଧରଣର ଏବଂ ଏକକ ଫଙ୍ଗାଲ ବଲ୍ କ୍ଷେତ୍ରରେ ସାଧାରଣତଃ ଚିକିତ୍ସା ଆବଶ୍ୟକତା ନ ଥାଏ। ଲକ୍ଷଣ ବିକଶିତ ହେଲେ ଛାତି ଏକ୍ସ-ରେ ଦ୍ୱାରା ଏହା ଉପରେ ନଜର ରଖାଯାଏ। ଅଗ୍ରଗତି ଅବସ୍ଥା କ୍ଷେତ୍ରରେ ଆଣ୍ଟିଫଙ୍ଗାଲ ଚିକିତ୍ସା କରାଯାଏ। ଆଲର୍ଜି ଜନିତ ଫୁସ୍ଫୁସ୍ ସମସ୍ୟା ଦେଖାଗଲେ ଷ୍ଟେରଏଡ୍ ବ୍ୟବହାର କରାଯାଏ। ଗୁରୁତର ଧରଣର ଫୁସ୍ଫୁସ୍ ସମସ୍ୟା ଦେଖାଗଲେ ଭୋରିକୋନାଜୋଲ୍ ଅଥବା ଆମ୍ପୋଟେରିସିନ୍ ବି ବ୍ୟବହାର ସହ କିଡ୍ନୀ ତଥା ଲିଭର ପରୀକ୍ଷା ନିୟମିତ ରୂପେ କରାଯାଏ। ପଙ୍ଗାଲ ବଲ୍ ହଟାଇବା ପାଇଁ ଅସ୍ତ୍ରୋପଚାର ମଧ୍ୟ କରାଯାଏ। ଫୁସ୍ଫୁସ୍ରେ ରକ୍ତସ୍ରାବ କମାଇବା ପାଇଁ ବେଳେ ବେଳେ ରେଡିଓଲୋଜିଷ୍ଟଙ୍କ ତତ୍ତ୍ୱାବଧାନରେ ଏମ୍ବୋଲାଇଜେସନ୍ ଚିକିତ୍ସା ମଧ୍ୟ କରାଯାଏ।
-ଡା. ସୁନୀଲ କୁମାର କୋଟା ମଧୁମେହ, ହରମୋନ୍ ରୋଗ
ବିଶେଷଜ୍ଞ, ଡାଏବେଟିସ୍ ଏଣ୍ଡ୍ ଏଣ୍ଡୋକେୟାର କ୍ଲିନିକ୍, ବ୍ରହ୍ମପୁର
(ଶେଷ ଭାଗ)