ହ୍ବାଇଟ ହାଉସରୁ ହଟିଲା ବିଲ୍‌ କ୍ଲିଣ୍ଟନ, ଜର୍ଜ ବୁଶଙ୍କ ଫଟୋ

ଓ୍ବାଶିଂଟନ,୧୯।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ ଓ ବିଲ୍‌ କ୍ଲିଣ୍ଟନଙ୍କ ସମ୍ମାନରେ ଆଞ୍ଚ ଆସିଛି। ହ୍ବାଇଟ ହାଉସରେ ଥିବା ଏହି ଦୁଇ ରାଷ୍ଟ୍ରପତିଙ୍କ ଫଟୋକୁ ମୁଖ୍ୟସ୍ଥାନରୁ ଉଠାଇ ଦିଆଯାଇ ଏମିତି ଏକ କୋଠରୀରେ ଲଗାଇ ଦିଆଯାଇଛି ଯେଉଁ କୋଠରୀ ବ୍ୟବହାର ହେଉନି କହିଲେ ଚଳେ। ତେବେ ଉକ୍ତ କୋଠରୀରେ କେବଳ ପୁରୁଣା ଆସବାପତ୍ର ରହିଥାଏ ବୋଲି କୁହାଯାଏ। ଏହି ଘଟଣାରେ ହ୍ବାଇଟ ହାଉସର ଜଣେ ଅଧିକାରୀ କହିଛନ୍ତି ଏବେ ଏମାନଙ୍କ ସ୍ଥାନରେ ରିପବ୍ଲିକାନ ପାର୍ଟିର ଆଉ ଦୁଇ ପୂର୍ବତନ ରାଷ୍ଟ୍ରପତିଙ୍କ ଫଟୋ ଲଗାଯିବ ଯେଉଁମାନେ ପୂର୍ବରୁ ଶାସନ ଭାର ସମ୍ଭାଳିଥିଲେ। ତେବେ ହ୍ବାଇଟ ହାଉସର ପରମ୍ପରା ଅନୁଯାୟୀ, ସେଠାକୁ ଆସୁଥିବା ଅତିଥିଙ୍କୁ ଦେଖାଇବା ପାଇଁ ପ୍ରବେଶ ପଥରେ, ନିକଟରେ ଶାସନ କରିଥିବା ଦୁଇଜଣ ରାଷ୍ଟ୍ରପତିଙ୍କ ଫଟୋ ଲଗାଯାଇଥାଏ। ହେଲେ ଏବେ ହ୍ବାଇଟ ହାଉସ ଏହି ପରମ୍ପରାରେ ପରିବର୍ତ୍ତନ କରି ଦୁଇ ପୂର୍ବତନ ରାଷ୍ଟ୍ରପତିଙ୍କ ଫଟୋକୁ ଉଠାଇ ଦେଇଛି। ଆହୁରି କୁହାଯାଉଛି କି, ଗୋଟିଏ ସପ୍ତାହ ପୂର୍ବରୁ ମେକ୍ସିକୋର ରାଷ୍ଟ୍ରପତି ହ୍ବାଇଟ ହାଉସ ଆସିଥିବା ବେଳେ ସେ ଜର୍ଜ ବୁଶ ଓ ବିଲ୍‌ କ୍ଲିଣ୍ଟନଙ୍କ ଫଟୋକୁ କିଛି ସମୟ ଏକାଗ୍ରତାର ସହ ଦେଖି କିଛି ଟିପ୍ପଣି ଦେଇଥିଲେ। ଆଉ ଏହାପରେ ଏବେ ଏହି ଦୁଇ ରାଷ୍ଟ୍ରପତିଙ୍କ ଫଟୋକୁ ମୁଖ୍ୟ ଦ୍ୱାରରୁ ହଟାଇ ଦିଆଯାଇଛି। ଏହାକୁ ନେଇ ଆଉ ଏକ କାରଣ ରହିଛି ବୋଲି ମଧ୍ୟ କୁହାଯାଉଛି। ଯେବେ ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ବାସଭବନରୁ ବାହାରି ଥାଆନ୍ତି ଅବା କୌଣସି କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଥାଆନ୍ତି ତାଙ୍କର ନଜର ବାରମ୍ବାର ଜର୍ଜ ବୁଶ ଓ ବିଲ କ୍ଲିଣ୍ଟନଙ୍କ ଫଟୋ ଉପରେ ପଡିଥାଏ। ବ୍ୟକ୍ତିଗତ ଭାବେ ଟ୍ରମ୍ପଙ୍କର ଏହି ଦୁଇ ରାଷ୍ଟ୍ରପତିଙ୍କ ସହ ଭଲ ପଡୁ ନ ଥିବାରୁ ଏପରି କରାଯାଇଥାଇପାରେ ବୋଲି କୁହାଯାଉଛି। ତେବେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ଫଟୋ ଏପର୍ଯ୍ୟନ୍ତ ହ୍ବାଟଇ ହାଉସରେ ଦେଖିବାକୁ ମିଳିନାହିଁ। ଓବାମାଙ୍କ ସହ ରାଷ୍ଟ୍ରପତି ଟ୍ରମ୍ପଙ୍କର ବ୍ୟକ୍ତିଗତ ସମ୍ପର୍କ ଭଲ ନ ଥିବାରୁ ଏପର୍ଯ୍ୟନ୍ତ ଓବାମାଙ୍କର ଫଟୋ ହ୍ବାଇଟ ହାଉସରେ ଦେଖିବାକୁ ମିଳିନାହିଁ ବୋଲି ମଧ୍ୟ କୁହାଯାଉଛି।

Share