ଲକ୍‌ଡାଉନ୍‌ରେ ବୃଦ୍ଧି ପାଉଛି ଧଳା ଜହର କାରବାର…

ମୁମ୍ବାଇ, ୧୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ କାମଧନ୍ଧା ଅଭାବରୁ ଲୋକଙ୍କ ପାଖରେ ଟଙ୍କାର ଘୋର ଅଭାବ ଦେଖାଦେଇଛି। ଏଭଳି ଲୋକଙ୍କୁ ବ୍ରାଉନ୍‌ ସୁଗାର କାରବାର କରୁଥିବା ଅପରାଧୀ ଟାର୍ଗେଟ୍‌ କରିଛନ୍ତି। ସେମାନଙ୍କ ମାଧ୍ୟମରେ ବ୍ରାଉନ୍‌ ସୁଗାର ଗ୍ରାହକଙ୍କ ପାଖରେ ପହଞ୍ଚାଇବା ଲାଗି ସେମାନେ ଯୋଜନା କରୁଛନ୍ତି। ଏଭଳି ଏକ ର଼୍ୟାକେଟର ପର୍ଦ୍ଦାଫାଶ୍‌ ମୁମ୍ବାଇ ପୋଲିସ ପକ୍ଷରୁ କରାଯାଇଛି। ଏହା ସହିତ ୧୦୦୦ କୋଟି ଟଙ୍କା ଦାମର ହେରୋଇନ୍‌ ମଧ୍ୟ ଜବତ କରାଯାଇଛି। ଜବତ ହୋଇଥିବା ହେରୋଇନର ଓଜନ ୧୯୧ କିଲୋଗ୍ରାମ ବୋଲି କୁହାଯାଉଛି। ଏହା ଆଫଗାନିସ୍ତାନରରୁ ଭାରତକୁ ଆସିଥିବା କୁହାଯାଉଛି। ରାଜସ୍ବ ଗୋଇନ୍ଦା ବିଭାଗ ଏବଂ ସୀମା ଶୁଳ୍କ ବିଭାଗର ମିଳିତ ଚଢ଼ାଉରେ ଏହି ସଫଳତା ମିଳିଛି। ଏହି ମାମଲାରେ ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହି ମାମଲା ସହିତ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଦିଲ୍ଲୀରେ ମଧ୍ୟ ଗିରଫ କରାଯାଇଛି। କଣ୍ଟେନରରେ ଲୁଚାଇ ଏହାକୁ ଭାରତକୁ ଅଣାଯାଉଥିଲା। ଏନେଇ ଏମ୍‌.ବି. ଶିପିଙ୍ଗ୍‌ ଏବଂ ଲଜିଷ୍ଟିକର ସୋମନାଥ ଭୋଡ଼ାକେ ତତା ମୁମ୍ବ୍ରାର କୋଡ଼ିଭାଉ ପାଣ୍ଡୁରଙ୍ଗ ମୁଞ୍ଜଲଙ୍କୁ ସ୍ଥାନୀୟ ଅଦାଳତରେ ହାଜର ମଧ୍ୟ କରାଯାଇଛି। ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ୧୪ ଦିନିଆ ପୋଲିସ ହେପାଜତରେ ରଖାଯାଇଛି। ସୂଚନାଯୋଗ୍ୟ, ଜାନୁୟାରୀ ୩୧ରେ ପଞ୍ଜାବ ପୋଲିସ ଅମୃତସରରୁ ୧୯୪ କିଲୋଗ୍ରାମ୍‌ ହେରୋଇନ୍‌ ଜବତ କରିଥିଲେ। ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା।

Share