ମା’ ହେଲା ମୌସୁମୀ

ବାରଙ୍ଗ,୩୧।୭(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୮ ବର୍ଷୀୟା ଧଳା ବାଘୁଣୀ ମୌସୁମୀ ପ୍ରଥମ ଥର ପାଇଁ ମା’ ହୋଇଛି। ମୌସୁମୀ ପର୍ଯ୍ୟାୟକ୍ରମେ ୩ଟି ଛୁଆକୁ ଜନ୍ମ ଦେଇଛି। ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ସୋମବାର ରାତି ୮ଟା ୫୧ ମିନିଟ୍‌ରେ ଗୋଟିଏ, ମଙ୍ଗଳବାର ସକାଳେ ଗୋଟିଏ ଓ ରାତିରେ ଆଉ ଏକ ଛୁଆକୁ ସେ ଜନ୍ମ ଦେଇଛି। ଜନ୍ମିତ ୩ ଛୁଆଙ୍କ ମଧ୍ୟରୁ ଗୋଟିଏ ଛୁଆ ଜୀବିତ ରହିଛି। ସେହି ସାଧାରଣ ରଙ୍ଗର ଛୁଆକୁ ମା’ଠାରୁ ଅଲଗା କରି କର୍ତ୍ତୃପକ୍ଷ ଲାଳନପାଳନ କେନ୍ଦ୍ରକୁ ଆଣିଥିବା ଜଣାପଡ଼ିଛି। ମହାବଳ ବାଘ ରାଜେଶ ସହ ମିଳନରେ ମୌସୁମୀ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛି। ଗତ ଜୁନ ୨୭ରୁ ୨୯ ମଧ୍ୟରେ ରାଜେଶ ସହ ମୌସୁମୀର ମିଳନ ହୋଇଥିବାବେଳେ ଜୁଲାଇ ୧ରେ ଅଲଟ୍ରା ସୋନୋଗ୍ରାଫି ମାଧ୍ୟମରେ ଏଠାକାର ଡାକ୍ତର ମୌସୁମି ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଥିବା ଧଳା ବାଘୁଣୀ ଗର୍ଭଧାରଣ କରିଥିବା ଜଣାପଡ଼ିବା ପରେ ସିସି କ୍ୟାମେରା ଲଗାଯାଇ ତାର ଗତିବିଧି ଉପରେ କର୍ତ୍ତୃପକ୍ଷ ତୀକ୍ଷ୍ମ ଦୃଷ୍ଟି ରଖିବା ସହ ଏଠାକାର ଡାକ୍ତରଙ୍କ ନଜରବନ୍ଦୀରେ ରଖାଯାଇଥିଲା। ମଙ୍ଗଳବାର ସକାଳେ ଦାୟିତ୍ୱରେ ଥିବା କର୍ମଚାରୀ ସିସି କ୍ୟାମେରା ଯାଞ୍ଚ କରିବାରୁ ମୌସୁମୀ ଛୁଆ ଦେଇଥିବା ଜଣାପଡ଼ିଥିଲା। ତେବେ ଡାକ୍ତରଙ୍କ ଆକଳନ ଅନୁସାରେ ମୌସୁମୀ ୫ ଦିନ ଆଗରୁ ଛୁଆକୁ ଜନ୍ମ ଦେଇଛି। ନବଜାତକର ଲିଙ୍ଗ ନିରୂପଣ ହୋଇ ନ ଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ କହିଛନ୍ତି। ମନିଷ ଓ ସ୍ନେହା ଗର୍ଭରୁ ୨୦୧୬ ମସିହାରେ ମୌସୁମୀ ଜନ୍ମଗ୍ରହଣ କରିଥିଲା। ମୌସୁମୀର ଶାବକ ଜନ୍ମ ପରେ ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧି ପାଇ ୨୬ରେ ପହଞ୍ଚିଛି। ସେଥିମଧ୍ୟରେ ୫ଟି ଧଳା ବାଘ (୩ ଅଣ୍ଡିରା, ୨ମାଈ), ୪ଟି କଳା ଲୋମଯୁକ୍ତ ବାଘ (୩ ଅଣ୍ଡିରା, ୧ମାଈ), ୧୬ଟି ସାଧାରଣ ନାଲି ବାଘ(୮ ଅଣ୍ଡିରା, ୮ ମାଈ) ରହିଛନ୍ତି।