୭୮ ବିଧାୟକଙ୍କ ମଧ୍ୟରୁ କିଏ ହେବେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ? ମନ୍ତ୍ରୀ ରେସ୍‌ରେ ଅଛନ୍ତି ଏସବୁ ହେଭିଓ୍ବେଟ…

ଭୁବନେଶ୍ୱର,୯।୬: ଗତ ସାଧାରଣ ନିର୍ବାଚନରେ ସର୍ବାଧିକ ୭୮ ଆସନରେ ବିଜୟ ପରେ ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଛି ଭାଜପା। ପ୍ରଥମ ଥର ପାଇଁ ରାଜ୍ୟରେ ଦଳର ମୁଖ୍ୟମନ୍ତ୍ରୀ ହେବ। ଏହାକୁ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ଆସନ୍ତା ୧୦ ତାରିଖରେ ତାହା ସ୍ପଷ୍ଟ ହୋଇଯିବ। ଏସବୁ ମଧ୍ୟରେ ଶପଥ ଗ୍ରହଣ ସମାରୋହ ପାଇଁ ଜନତା ମଇଦାନରେ ପ୍ରସ୍ତୁତି ଜୋରଦାର ହେଉଛି। ଏଥିସହ ୧୦ ତାରିଖ ସକାଳେ ବିଧାୟକ ଦଳ ବୈଠକ ବସିବ। ସଂସଦୀୟ ବୋର୍ଡ ବୈଠକର ସୁପାରିଶ ସହ ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ଥିର ହେବ ବୋଲି ଜଣାପଡ଼ିଛି।

୭୮ ବିଧାୟକ ମଧ୍ୟରୁ ଭାଜପା କାହାକୁ ମୁଖ୍ୟମନ୍ତ୍ରୀ କରିବ ତା ଉପରେ ରାଜ୍ୟବାସୀଙ୍କ ନଜର ରହିଛି। ଦଳ ମଧ୍ୟରେ ନେତାଙ୍କୁ ବାଛିବା ଲାଗି ନିର୍ମଳ ଭାବମୂର୍ତ୍ତି, ଅପରାଧିକ ପୃଷ୍ଠଭୂମି ନ ଥିବା ସହ ପ୍ରଶାସନିକ ଦକ୍ଷତା ରହିଥିବା ଉପରେ ଧ୍ୟାନ ଦିଆଯାଉଛି। ଏହି ଦୌଡ଼ରେ ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ ପ୍ରମୁଖ ରହିଛନ୍ତି। ସେହିଭଳି ସମ୍ଭାବ୍ୟ ମନ୍ତ୍ରୀ ରେସରେ ସୁରେଶ ପୁଜାରୀ, କେ ଭି ସିଂଦେଓ, ଜୟନାରାୟଣ ମିଶ୍ର, ମୋହନ ମାଝୀ, ରବି ନାଏକ, ସୁରମା ପାଢ଼ୀ ପ୍ରମୁଖ ହେଭି ଓ୍ବେଟ୍‌ ରହିଛନ୍ତି। ସେହିଭଳି ପୃଥ୍ବୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ବାଇଁ, ସନାତନ ବିଜୁଳି, ଅମର ନାୟକ, ବିଭୂତି ଜେନା, ସିଦ୍ଧାନ୍ତ ମହାପାତ୍ର, ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡ଼ଙ୍ଗୀ, ଆଶ୍ରିତ ପଟ୍ଟନାୟକ, ବାବୁ ସିଂ, କୃଷ୍ଶଚନ୍ଦ୍ର ମହାପାତ୍ର, ଭବାନୀ ଶଙ୍କର ଭୋଇ, ନିତ୍ୟାନନ୍ଦ ଗଣ୍ଡ, ଫକୀର ମୋହନ ନାୟକ, ପ୍ରଭାତୀ ପରିଡ଼ା ପ୍ରମୁଖ ନୂଆ ମୁହଁ ମଧ୍ୟରୁ କିଛି ମନ୍ତ୍ରୀ ମଧ୍ୟ ହୋଇପାରନ୍ତି। ଏମିତିରେ ମନ୍ତ୍ରୀ ହେବାକୁ ଥିବା ନେତାଙ୍କ ବାୟୋଡାଟା ଯାଞ୍ଚ କରାଯାଉଥିବା କୁହାଯାଉଛି।

Share