Categories: ଜାତୀୟ

ସିରମର ମ୍ୟାଲେରିଆ ଟିକାକୁ ଡବ୍ଲ୍ୟୁଏଚ୍‌ଓର ବ୍ୟବହାର ଅନୁମତି

ପୁଣେ, ୪ା୧୦: ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଏବଂ ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ମିଳିତ ଭାବେ ବିକଶିତ ହୋଇଥିବା ମ୍ୟାଲେରିଆ ଟିକା (R21/Matrix-M)କୁ ବ୍ୟବହାର ପାଇଁ ଅନୁମତି ଦେଇଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)। ଏହି ଟିକା ସମ୍ପର୍କରେ ଆବଶ୍ୟକ ନିରାପତ୍ତା, ଗୁଣବତ୍ତା ଏବଂ କାର୍ଯ୍ୟକାରିତାର ମାନକୁ ଡବ୍ଲ୍ୟୁଏଚ୍‌ଓର ସ୍ବାଧୀନ ପରାମର୍ଶଦାତା ସଂସ୍ଥା, ଷ୍ଟ୍ରାଟେଜିକ୍‌ ଆଡଭାଇଜରି ଗ୍ରୁପ୍‌ ଅଫ୍‌ ଏକ୍ସପର୍ଟ (ଏସ୍‌ଏଜିଇ) ଓ ମ୍ୟାଲେରିଆ ପଲିସି ଆଡଭାଇଜରି ଗ୍ରୁପ୍‌ (ଏମ୍‌ପିଏଜି) ବୈଜ୍ଞାନିକ ଉପାୟରେ ତନ୍ନ ତନ୍ନ କରି ନିରୀକ୍ଷଣ କରିବା ପରେ ଏହି ଅନୁମତି ଦେଇଛନ୍ତି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ କୁହାଯାଇଛି ଯେ, ୪ଟି ଦେଶରେ ହୋଇଥିବା ପ୍ରି-କ୍ଲିନିକାଲ ଏବଂ କ୍ଲିନିକାଲ ପରୀକ୍ଷଣର ତଥ୍ୟକୁ ଆଧାରିକରି ଏହି ଟିକା ପାଇଁ ସୁପାରିସ ଦିଆଯାଇଛି। ଉକ୍ତ ୪ ଦେଶରେ ମୌସୁମୀ ଏବଂ ଅଣ ମୌସୁମୀ ସମୟରେ ମ୍ୟାଲେରିଆରେ ଆକ୍ରାନ୍ତ ରୋଗୀଙ୍କ ଉପରେ ଟିକାର ଉତ୍ତମ ପ୍ରଭାବ ଓ ନିରାପତ୍ତାକୁ ଦୃଷ୍ଟିକୁ ରଖାଯାଇ ଡବ୍ଲ୍ୟୁଏଚ୍‌ଓ ଏହାର ବ୍ୟବହାର ଅନୁମତି ଦେଇଛି। ଏହା ହେଉଛି ବିଶ୍ୱର ଦ୍ୱିତୀୟ ମ୍ୟାଲେରିଆ ଟିକା, ଯାହାକି ପିଲାଙ୍କୁ ମ୍ୟାଲେରିଆଠାରୁ ସୁରକ୍ଷା ଦେଇପାରିବ ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ କୁହାଯାଇଛି।

Share