Categories: ଜାତୀୟ

ବିଶ୍ୱର ଦ୍ୱିତୀୟ ମ୍ୟାଲେରିଆ ବିରୋଧୀ ଟିକାକୁ ମଞ୍ଜୁରୀ ଦେଲା ଡବ୍ଲ୍ୟୁଏଚ୍‌ଓ

ନୂଆଦିଲ୍ଲୀ/ଜେନେଭା,୩।୧୦: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ବିଶ୍ୱର ଦ୍ୱିତୀୟ ମ୍ୟାଲେରିଆ ବିରୋଧୀ ଟିକାକୁ ମଞ୍ଜୁରୀ ଦେଇଛି। ଏନେଇ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଟିକାକରଣର ‘ପ୍ରି-କ୍ଲିନିକାଲ’ ଏବଂ ‘କ୍ଲିନିକାଲ’ ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ଆଧାରରେ ଏହି ଅନୁମୋଦନ ଦିଆଯାଇଛି ଏବଂ ପରୀକ୍ଷା ସମୟରେ ଏହି ଟିକା ଚାରିଟି ଦେଶରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି। ପିଲାମାନଙ୍କୁ ମ୍ୟାଲେରିଆରୁ ରକ୍ଷା କରିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଅନୁମୋଦନ ପାଇବାରେ ଏହା ବିଶ୍ୱର ଦ୍ୱିତୀୟ ଟିକା ହୋଇଛି ବୋଲି ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି।
ଅକ୍ସଫୋର୍ଡ ୟୁନିଭରସିଟି ଏବଂ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ୱାରା ‘ନୋଭାଭାକ୍ସ’ର ଆଡଭ୍ୟୁଜାଣ୍ଟ ଟେକ୍ନୋଲୋଜି ବ୍ୟବହାର କରି ଆର୍‌୨୧/ ମାଟ୍ରିକ୍ସ-ଏମ୍‌ ନାମକ ଏହି ମ୍ୟାଲେରିଆ ଟିକା ବ୍ୟବହାରକୁ ଡବ୍ଲ୍ୟୁଏଚ୍‌ଓ ଅନୁମୋଦନ କରିଛି।
ପୁଣେ ଭିତ୍ତିକ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ଟିକା ଉତ୍ପାଦନ ପାଇଁ ଲାଇସେନ୍ସ ଦିଆଯାଇଛି ଏବଂ କମ୍ପାନୀ ବାର୍ଷିକ ୧୦ କୋଟି ଡୋଜ ଉତ୍ପାଦନ କରିବାର କ୍ଷମତା ହାସଲ କରିସାରିଛି, ଯାହା ଆସନ୍ତା ଦୁଇ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ।
ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ, ଦୀର୍ଘ ଦିନ ଧରି ଏହି ମ୍ୟାଲେରିଆ ସାରା ବିଶ୍ୱରେ କୋଟି କୋଟି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଆସୁଛି। ମ୍ୟାଲେରିଆ ମୁକାବିଲା ପାଇଁ ଏହି ଟିକା ଅନୁମୋଦନ ଏକ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି।

Share