Categories: ଜାତୀୟ

ସଂସଦ ଭିତରେ ଓ ବାହାରେ ଧୂଆଁ ସ୍ପ୍ରେ କରି ଆତଙ୍କ ସୃଷ୍ଟି କରିଥିବା ଯୁବତୀ ଓ ଯୁବକମାନେ କିଏ?

ନୂଆଦିଲ୍ଲୀ, ୧୩ା୧୨: ୨୨ ବର୍ଷ ପୂର୍ବେ ସଂସଦ ଗୃହ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ନୂତନ ସଂସଦ ଭବନରେ ଏକ ବଡ଼ ଉତ୍ତେଜନା ଦେଖିବାକୁ ମିଳିଛି। ଯେତେବେଳେ ପରିଦର୍ଶକ ଗ୍ୟାଲେରୀରେ ବସିଥିବା ଦୁଇଜଣ ଯୁବକ ସଂସଦରେ ଶୁନ୍ୟକାଳ ଚାଲିଥିବା ସମୟରେ ଲୋକସଭାକୁ ଡେଇଁଲେ ଏବଂ ଟେବୁଲଗୁଡ଼ିକ ଉପରେ ଡେଇଁବା ପରେ ଧୂଆଁ ଉଡ଼ାଇଥିଲେ। ଏହି ଘଟଣାର କିଛି ସମୟ ପୂର୍ବରୁ ସଂସଦ ଭବନ ବାହାରେ ପରିବହନ ଭବନ ସମ୍ମୁଖରେ ଜଣେ ଯୁବକ ଓ ଜଣେ ମହିଳାଙ୍କୁ ଗିରଫ କରାଯାଇଥିଲା, ପ୍ରାୟ ସମାନ ପ୍ରକାରର ଗ୍ୟାସ ସ୍ପ୍ରେ କରି ସେମାନେ ସ୍ଲୋଗାନ ଦେଇଥିଲେ।

ସଂସଦ ଭିତରେ ଗିରଫ ହୋଇଥିବା ଯୁବକଙ୍କ ନାମ ହେଉଛି ସାଗର ଶର୍ମା ଏବଂ ମନୋରଂଜନ ଡି। ମନୋରଂଜନ ଡି କର୍ଣ୍ଣାଟକ ମହୀଶୁରର ବାସିନ୍ଦା। ଏହା ବ୍ୟତୀତ ଦିଲ୍ଲୀ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପରିବହନ ଭବନ ସମ୍ମୁଖରେ ଗିରଫ ହୋଇଥିବା ଦୁଇ ବିକ୍ଷୋଭକାରୀଙ୍କୁ ସଂସଦ ଛକ ପୋଲିସ ଷ୍ଟେସନକୁ ଅଣାଯାଇଛି ଏବଂ ବର୍ତ୍ତମାନ ପଚରାଉଚରା ଜାରି ରହିଛି। ସେମାନଙ୍କ ନାମ ନୀଲମ (୪୨) ଏବଂ ଅନମୋଲ ସିନ୍ଦେ (୨୫)ବୋଲି ଜଣାପଡିଛି। ନୀଲମ ହିସାର, ହରିୟାଣାର ବାସିନ୍ଦା ଏବଂ ଅନମୋଲ ସିନ୍ଦେ ମହାରାଷ୍ଟ୍ରର ଲାଟୁରରେ ରୁହନ୍ତି।

ସଂସଦ ଭିତରେ ଘଟିଥିବା ଘଟଣା ବିଷୟରେ ଲୋକସଭା ବାଚସ୍ପତି ଓମ ବିର୍ଲା ପରିବହନ ଭବନ ସମ୍ମୁଖରେ ଗିରଫ ହୋଇଥିବା ଲୋକଙ୍କୁ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, “ପ୍ରାଥମିକ ତଦନ୍ତ କରାଯାଇଛି … ପରେ ବିସ୍ତୃତ ତଦନ୍ତର ରିପୋର୍ଟ ମଧ୍ୟ ଦିଆଯିବ।

ଏହି ସମୟରେ, ଆମ୍ରୋହା ସାଂସଦ କୁନୱାର ଡାନିଶ ଅଲିଙ୍କ ସୂଚନା ଅନୁଯାୟୀ ସଂସଦରେ ପ୍ରବେଶ କରିଥିବା ଦୁଇ ଯୁବକ ଅର୍ଥାତ୍ ସାଗର ଶର୍ମା ଏବଂ ମନୋରଂଜନ ଡି ଉଭୟଙ୍କୁ ଭାଜପା ନେତା ପ୍ରତାପ ସିହ୍ନାଙ୍କ କାର୍ଯ୍ୟାଳୟ ପକ୍ଷରୁ ପାସ୍ ପ୍ରଦାନ କରାଯାଇଥିଲା। କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ଅନୁଯାୟୀ, ଲୋକସଭାକୁ ଡେଇଁପଡିଥିବା ଉଭୟ ଯୁବକ ଲୁହବୁହା ଗ୍ୟାସ ସେଲ ନେଇ ଯାଉଥିଲେ। ଶୁନ୍ୟକାଳ ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଟେବୁଲ ଉପରେ ଡେଇଁପଡିଥିବା ବେଳେ ଅନ୍ୟ ଯୁବକଙ୍କୁ ସର୍ବସାଧାରଣ ଗ୍ୟାଲେରୀରେ ବୁଲୁଥିବାର ଦେଖାଯାଇଥିଲା।

Share