ଭାରତକୁ ଶୁଭେଚ୍ଛା ଜଣାଇଲା ଡବ୍ଲୁଏଚଓ

ଜେନେଭା,୨୧ ।୧୦: ଦେଶରେ କରୋନା ମହାମାରୀ ସହ ଲଢିବାକୁ ଦିଆଯାଉଥିବା ଟିକା ଗୁରୁବାର ୧୦୦କୋଟି ଅତିକ୍ରମ କରିଛି । ଏହି ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ତେଦ୍ରୋସ ଅଧାନୋମ ଗେବ୍ରେୟେସସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଶେଷଜ୍ଞ, ସ୍ୱାସ୍ଥ୍ୟକର୍ମୀ ଓ ଭାରତର ସାଧାରଣ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗୁରୁବାର ଦେଶରେ ମାତ୍ର ୨୭୯ ଦିନରେ ଟିକାକରଣର ସଂଖ୍ୟା ୧୦୦ କୋଟି ଅତିକ୍ରମ କରିଛି । ଏହି ଅବସରରେ ଡବ୍ଲୁଏଚଓ ମୁଖ୍ୟ ଟୁଇଟ୍ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଶେଷଜ୍ଞ, ସ୍ୱାସ୍ଥ୍ୟକର୍ମୀ ଓ ଭାରତର ସାଧାରଣ ନାଗରିକ କୋଭିଡ-୧୯ରୁ ସମ୍ବେଦଶୀଳ ଜନସଂଖ୍ୟାକୁ ରକ୍ଷା କରିବା ଓ ସମାନତା ସହ ଟିକାକରଣ କାର୍ଯ୍ୟକ୍ରମକୁ ଆଗେଇ ନେଇ ଆଜି ଏହି ଲକ୍ଷ୍ୟରେ ପହଞ୍ଚିଛନ୍ତି । ସେଥପାଇଁ ମୋର ଶୁଭେଚ୍ଛା ।

ଡବ୍ଲୁଏଚଓର ମୁଖ୍ୟଙ୍କ ବ୍ୟତୀତ ଆଉ ଜଣେ ବରିଷ୍ଠ ଅଧିକାରୀ , ଦକ୍ଷିଣ ପୂର୍ବ ଏସିଆର କ୍ଷେତ୍ର ନିର୍ଦ୍ଦେଶକ ଡା. ପୁନମ କ୍ଷେତ୍ରପାଲ ସିଂ ବି କରୋନା ଟିକାକରଣ ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି ଭାରତ ଟିକାକରଣରେ ୧ ଅରବ ଅତିକ୍ରମ କରିଥିବାରୁ ଶୁଭେଚ୍ଛା । ଏତେ କମ୍ ସମୟ ମଧ୍ୟରେ ଏହି ଲକ୍ଷ୍ୟ ପୂରଣ କରିବା କେବଳ ମଜଭୁତ ନେତୃତ୍ୱ, ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ୍ ୱାରିୟର୍ସ ଓ ଜନତାଙ୍କ ସମର୍ପିତ ପ୍ରୟାସଯୋଗୁ ସମ୍ଭବ ହୋଇଛି ।

Share