ଦୁଇ ବର୍ଷ ମଧ୍ୟରେ ଶେଷ ହୋଇଯିବ କରୋନା ଭାଇରସ: ଡବ୍ଲୁଏଚ୍‌ଓ !

ଜେନେଭା,୨୨।୮: ଏବେ କରୋନାକୁ ହରାଇବା ପାଇଁ ସବୁ ବିକାଶଶୀଳ ଦେଶ ଏହାର ଭ୍ୟାକ୍ସିନ ବା ଟିକା ଉପରେ ଗୁରୁତ୍ୱ ଦେଉଛନ୍ତି। ଏପଟେ କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ମୁଖ୍ୟ ଟେଡ୍ରସ୍‌ ଅଧାନମ ଘେବ୍ରିୟେସସ କହିଛନ୍ତି ମାତ୍ର ଦୁଇ ବର୍ଷ ମଧ୍ୟରେ ବିଶ୍ୱରୁ କରୋନା ଭାଇରସ ବିଦାୟ ନେବ। ୧୯୧୮ରେ ହୋଇଥିବା ଫ୍ଲୁ ମହାମାରୀଠାରୁ ମଧ୍ୟ ଏହା କମ୍‌ ସମୟ ମଧ୍ୟରେ ନଷ୍ଟ ହୋଇଯିବ ବୋଲି ସେ ମତ ରଖିଛନ୍ତି। ତେବେ ପ୍ରାୟ ୧୦୨ ବର୍ଷ ତଳେ ଆସିଥିବା ସ୍ପେନିସ ଫ୍ଲୁ ମାତ୍ର ୨ ବର୍ଷ ମଧ୍ୟରେ ମରି ଯାଇଥିଲା। ଡବ୍ଲୁଏଚ୍‌ଓ ମୁଖ୍ୟ କହିଛନ୍ତି ଯଦି ବିଶ୍ୱ ଏକାଠି ରୁହେ ଓ ଶୀଘ୍ର କରୋନା ଭ୍ୟାକ୍ସିନ ଆସିଯାଏ ତେବେ ଏହି ମହାମାରୀ ମାତ୍ର ଦୁଇ ବର୍ଷ ମଧ୍ୟରେ ଲୋପ ପାଇଯିବ। ଟେଡ୍ରସ୍‌ ଆହୁରି ମଧ୍ୟ କହିଛନ୍ତି ଗୋଟିଏ ଶତାଦ୍ଦି ମଧ୍ୟରେ ଏମିତି ସ୍ବାସ୍ଥ୍ୟ ସଙ୍କଟ ବିଶ୍ୱରେ ଦେଖାଦେଇଥାଏ। ତେବେ ଫେବୃୟାରୀ ୧୯୧୮ରୁ ଏପ୍ରିଲ ୧୯୨୦ ପାଖାପାଖି ୨ ବର୍ଷ ମଧ୍ୟରେ ସ୍ପେନିସ ଫ୍ଲୁରେ ସାରା ବିଶ୍ୱରେ ପ୍ରାୟ ୨ କୋଟି ଲୋକଙ୍କ ମୃତ୍ୟୁ ହୋଇଥିଲା। ଗ୍ଲୋବାଲାଇଜେଶନ ଦୃଷ୍ଟିରୁ ସ୍ପେନିସ ଫ୍ଲୁ ତୁଳନାରେ କରୋନା ଭାଇରସ କ୍ଷିପ୍ର ଗତିରେ ବିସ୍ତାର ଲାଭ କରିଛି। ଏବେ ଆମ ପାଖରେ ଆଧୁନିକ ଜ୍ଞାନ କୌଶଳ ଥାଇ ବି ଆମେ ଏହାକୁ ରୋକି ପାରିନେ। କିନ୍ତୁ ଶହେ ବର୍ଷ ପୂର୍ବେ ଅର୍ଥାତ୍‌ ଯେବେ ସ୍ପେନିସ ଫ୍ଲୁ ଆସିଥିଲା ସେତେବେଳେ ଆମ ନିକଟରେ ପ୍ରାୟ କୌଣସି ଜ୍ଞାନ କୌଶଳ ନ ଥିଲା କହିଲେ ଚଳେ।

Share