କିଛି ଦେଶରେ ଆସିପାରେ କରୋନାର ଆଉ ଏକ ଲହର: ଡବ୍ଲୁଏଚଓ ଚିଫ୍ ସାଇଣ୍ଟିଷ୍ଟଙ୍କ ଚେତାବନୀ

ଜେନେଭା,୨୧ ।୧୦: ଦେଶରେ ଏବେ ଉତ୍ସବର ସମୟ ଚାଲିଥିବା ବେଳେ ଏହାରି ଭିତରେ କରୋନାର ଓମିକ୍ରନ ଭାରିଏଣ୍ଟର ସବ ଭାରିଏଣ୍ଟ ଏକ୍ସବିବି ଡରାଇବା ଆରମ୍ଭ କରି ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ବା ଚିଫ ସାଇଣ୍ଟିଷ୍ଟ ସୌମ୍ୟା ସ୍ୱାମିନାଥନ ଚେତାବନୀ ଦେଇ କହିଛନ୍ତି, କିଛି ଦେଶରେ ଓମିକ୍ରନର ସବ ଭାରିଏଣ୍ଟ ଏକ୍ସବିବି କାରଣୁ କୋଭିଡ ସଂକ୍ରମଣର ଆଉ ଏକ ଲହର ଆସିପାରେ ।
ସ୍ୱାମିନାଥନ କହିଛନ୍ତି ଓମିକ୍ରନର ୩୦୦ରୁ ଅଧିକ ସବଭାରିଏଣ୍ଟ ରହିଛି । ହେଲେ ଏବେ ଚିନ୍ତାର କାରଣ ହେଉଛି ଏକ୍ସବିବି । ଏହା ପ୍ରତିରକ୍ଷା ତନ୍ତ୍ର ବା ଇମ୍ୟୁନୋ ସିଷ୍ଟମଠାରୁ ବଞ୍ଚିବାର କ୍ଷମତା ରଖିଛି । ଏହାର ଅର୍ଥ ହେଉଛି ଆଣ୍ଟିବଡିର ଏହା ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଏଥିପାଇଁ ଏକ୍ସବିବି କାରଣରୁ କିଛି ଦେଶରେ କରୋନାର ଆଉ ଏକ ଲହର ଦେଖିବାକୁ ପଡିବ । ସ୍ୱାମିନାଥନ କହିଛନ୍ତି ଏକ୍ସବିବି ଭାରଏଣ୍ଟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମସ୍ତେ ସତର୍କ ରହିବା ସହ ମାସ୍କ ପିନ୍ଧିବା ଜରୁରୀ । ଏପଟେ କେତେଜଣ ଚିକିତ୍ସକଙ୍କ ମତ ଯେ ମାସ୍କ ନ ପିନ୍ଧିଲେ ଯଦିଓ ଜରିମାନା ଦେବାକୁ ପଡିବ ନାହିଁ , ତଥାପି ଏବେ ପାଣିପାଗ ପରିବର୍ତ୍ତନ ଓ ଉତ୍ସବର ଋତୁ ଚାଲୁଥିବାରୁ ଭିଡ ସ୍ଥାନକୁ ନ ଯିବା ଓ ଯେଉଁମାନେ ଭିଡ ସ୍ଥାନକୁ ଯାଉଛନ୍ତି ସେମାନେ ମାସ୍କ ପିନ୍ଧିବା ଭଲ । କାରଣ କରୋନା ଏବେବି ଆମ ଗହଣରେ ରହିଛି ।

Share